ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଗତ ଗୁରୁବାର ଉଦ୍ଧାର କରାଯାଇଥିଲା। ପରେ ମୃତ ମହିଳା ଜଣକ ଜାମଦା ଥାନା ରୁମାପାହାଡି ଗ୍ରାମର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତୋପଇ ମହାନ୍ତ(୪୫) ବୋଲି ପରିଚୟ ମିଳି ପାରିଥିଲା। ଏ ନେଇ ରାଇରଙ୍ଗପୁର ଏସଡିପିଓ ଓ ଜାମଦା ଥାନା ଅଧିକାରିଣୀ ମିନତୀ ନାଏକ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ। ତେବେ ଘଟଣାସ୍ଥଳରୁ ପୁରୁଷ ମାନେ ପିନ୍ଧୁଥିବା ଏକ ଯୋଡା ଚପଲ(ଜୋତା), ଶାଢ଼ି, ଚୁଡ଼ି ପାଇଥିଲେ। ଏହିପରି କିଛି ଜିନିଷ ମଧ୍ୟ ଘଟଣାସ୍ଥଳରୁ ଜବତ କରିଥିଲା ପୁଲିସ। ଏହି ହତ୍ୟା ଘଟଣାର ତଦନ୍ତ ଚଳାଇ ଥିବାବେଳେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ଉକ୍ତ ମହିଳା ତପୋଇଙ୍କ ଘରକୁ ଦୀର୍ଘ ବର୍ଷ ଧରି ଯିବା ଆସିବା କରୁଥିବା ଗାଁ ସାହି ପଡିଶାଙ୍କ ନିକଟରୁ ଜାଣିବାକୁ ପାଇଥିଲା ପୁଲିସ। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା(୫୨) ଓ ତାଙ୍କ ପୁଅ ରାକେଶ (୨୩)ର ହାତ ଥିବା ସନ୍ଦେହ କରି ଉଭୟ ବାପ ଓ ପୁଅକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୁଲିସ।
ତେବେ ଟଙ୍କା ନେଣଦେଣ ଓ ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ହତ୍ୟା କରା ଯାଇଥିବା ପୁଲିସ ସୂଚନା ଦେଇଛି। ବିଶେଶ୍ବର ବେହେରା ତପୋଇ ମହାନ୍ତଙ୍କ ଠାରୁ ବିଭିନ୍ନ ସମୟରେ ବାରମ୍ବାର ଟଙ୍କା ମାଗି ନେଉଥିଲେ। ତେବେ ବାରମ୍ବାର ଟଙ୍କା ମାଗିବାରୁ ତପୋଇ ମହାନ୍ତ ବିଶିକେଶନକୁ ଟଙ୍କା ଦେଇନଥିଲେ। ଫଳରେ ତପୋଇକୁ ସବୁଦିନ ପାଇଁ ଶେଷ କରିଦେବାକୁ ବିଶିକେଶନ ଏକ ଯୋଜନା କରିଥିଲା। ଯୋଜନା ମୁତାବକ ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ ତପୋଇ ରାଇରଙ୍ଗପୁରସ୍ଥି ସାପ୍ତାହିକ ହାଟ ଆସିଥିବା ବେଳେ ତାଙ୍କୁ ସନ୍ଧ୍ୟା ସମୟରେ ସେଠାରୁ ନେଇ ଯାଇ ବିଶିକେଶନ ଓ ତାଙ୍କ ପୁଅ ଅନ୍ୟ ଦୁଇ ଜଣ ଯୁବକଙ୍କ ସହଯୋଗରେ ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରେ ତପୋଇଙ୍କ ତଣ୍ଟିକୁ ଏକ ଗାମୁଛା ସାହାଯ୍ୟରେ ଚିପି ହତ୍ୟା କରିବା ପରେ ଜଙ୍ଗଲ ଭିତରକୁ ଘୋଷାଡି ଘୋଷାଡି ନେଇ ସେଠାରେ ପଥର ସାହାଯ୍ୟରେ ତପୋଇଙ୍କ ମୁହଁକୁ ଛେଚି ଛେଚି ବିଗାଡି ଦେବା ସହ ଜଙ୍ଗଲ ଭିତରେ ଫୋପାଡି ପଳାଇ ଯାଇଥିଲେ। ପଚରାଉଚରା ବେଳେ ଉଭୟ ବାପ ଓ ପୁଅ ପୋଲିସ ନିକଟରେ ସ୍ବୀକାର କରିବା ପରେ ହତ୍ୟା ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ସହଯୋଗୀଙ୍କୁ ଜାମଦା ଥାନା ଅଧିକାରିଣୀ ମିନତୀ ନାଏକ ଗିରଫ କରିବାରେ ସଫଳ ହୋଇଥିଲେ। ତେବେ ଗିରଫ ହୋଇଥିବା ସମସ୍ତ ଚାରିଜଣ ଅଭିଯୁକ୍ତ ହେଲେ ଜାମଦା ଥାନା କୁଦାହାନସା ଗ୍ରାମର ବିସିକେଶନ ବେହେରା ଓ ତାଙ୍କ ପୁଅ ରାକେଶ ବେହେରା ଏବଂ ସେମାନଙ୍କ ସହଯୋଗୀ ରାଜେଶ ଦାସ ଓ ଲାଲଟୁ ଦାସ। ସମସ୍ତ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି।