ଢେଙ୍କାନାଳ/ କାମାକ୍ଷାନଗର/ ପଣ୍ଡୁଆ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ତ ତୁମୁସିଙ୍ଗା ଥାନା ବାରୁଆଁ (କ) ସମିତି ସଭ୍ୟ ତଥା ଖଣି ମାଲିକ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ରବିବାର ଦିନ ପର୍ଦ୍ଦାଫାସ କରିଛି ପୁଲିସ୍ । ବ୍ୟବସାୟ ସଂପର୍କିତ ଅର୍ଥ ଦେଣନେଣକୁ ନେଇ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି। ଖଣି ବ୍ୟବସାୟରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତ ତାଙ୍କୁ ଅତି ନିକଟରୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ତରେ ବ୍ୟବହୃତ ଏକ କାର୍ ଏବଂ ୨ ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ଆଜି ଜିଲ୍ଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କେ.ଶିବା ଶୁଭ୍ରମଣୀ ସୂଚନା ଦେଇଛନ୍ତି।
ଏସ୍ପି ଶ୍ରୀ ଶୁଭ୍ରମଣୀ କହିଛନ୍ତି ଯେ, ବାରୁଆଁ (କା) ଗାଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ଦେଖିବା ପାଇଁ ଆସିଥିଲେ। ମୃତ ଦୀପକଙ୍କ ପୁଅ ଦିବ୍ୟଦର୍ଶନ ସନ୍ଦେହରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମୁଖ୍ୟ ଚିକିତ୍ସାଳୟଠାରୁ ୬ଜଣଙ୍କୁ ଉଠାଇ ନେଇ ତଦନ୍ତ ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଅଭିଯୁକ୍ତ ହତ୍ୟା ଘଟଣାରେ ସଂପୃକ୍ତ ଥିବା ସେମାନେ ସ୍ବୀକାର କରିଛନ୍ତି ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଦୀପକ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରାଜନୀତିରେ ସକ୍ରିୟ ରହିଥିବା ବେଳେ ସେ ପଥର ଖଣି, ବାଲିଘାଟ ଆଦି ବ୍ୟବସାୟ କରୁଥିଲେ। ସେ ଜଣେ ଠିକଦାର ଭାବେ କାମାକ୍ଷାନଗର ଅଞ୍ଚଳରେ ମଧ୍ୟ ଜଣାଶୁଣା ଥିଲେ। ଏହି ୪ ଜଣ ଅଭିଯୁକ୍ତ ଦୀପକଙ୍କ ଖଣିରେ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ବ୍ୟବସାୟ ବାବଦକୁ ୩୫ ଲକ୍ଷ ଟଙ୍କା ଦେଣନେଣର ବିବାଦ ସଂପର୍କରେ ଆଲୋଚନା ପାଇଁ ଗତ ୨୪ ତାରିଖ ରାତିରେ ଦୀପକଙ୍କୁ ଡକାଇଥିଲେ। ଫୋନ୍ ପାଇ ଦୀପକ ଜାମୁଝରା ଛକଠାରେ ନିଜ କାର୍ ଅଟକାଇ ଅପେକ୍ଷା କରିଥିଲେ। ରାତି ସାଢେ ୧୧ ଟା ସମୟରେ ୪ ଜଣ ଅଭିଯୁକ୍ତ ଅନ୍ୟ ଏକ କାରରେ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଥମେ କାର୍ ପାଖକୁ ଯାଇ ଦୀପକଙ୍କ ସହ କଥାବାର୍ତ୍ତା ହୋଇ ଫେରିଥିଲେ। ସେହି ପାଖରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଅତର୍କିତ ଭାବେ ଦୁଇଟି ଦେଶୀ ବନ୍ଧୁକରେ ଅତି ନିକଟରୁ ଦୀପକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ, ତାଙ୍କର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dhenkanal-accused.jpg)