ବରଗଡ଼ : ମାତ୍ର ୨୪ ଘଣ୍ଟା ଭିତରେ ବରଗଡ଼ ପୁଲିସ୍ ସୂରଜ ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ସ୍ଥାନୀୟ ୱାର୍ଡ ନମ୍ବର ୧୬ ବରମଚାରୀର ଦୁଇ ଭାଇ ଆକାଶ ପାଇକ ଓ ବଣ୍ଟି ପାଇକ, ୱାର୍ଡ ନମ୍ବର ୧୧ ନୂଆପଡ଼ାର କାଜୁ ଭୋଇ ଏବଂ ୱାର୍ଡ ନମ୍ବର-୫ ବିଶିପଡ଼ାର ତରୁଣ ବାରିକ। ଏମାନଙ୍କ ମଧ୍ୟରୁ ଆକାଶ, ବଣ୍ଟି ଓ କାଜୁ ମିଶି ସୂରଜଙ୍କୁ ହତ୍ୟା କରିଥିଲେ। ତରୁଣ ସେମାନଙ୍କୁ ବାଇକ୍ରେ ନେବା ଆଣିବା ତଥା ଘରେ ରଖିବାରେ ସହାୟତା କରିଥିଲା।
ସମସ୍ତ ଅଭିଯୁକ୍ତଙ୍କୁ ଜେରା ପରେ ପୁଲିସ୍ କାରଣ ଖୋଜିବାକୁ ଦୁଇଟି ଦିଗ ଉପରେ ଆଗେଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକ ସ୍ତ୍ରୀ ସହିତ ସୂରଜଙ୍କ ଅନୈତିକ ସଂପର୍କ ଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିଛି। ସେହିପରି ଛଅ ମାସ ତଳେ ଆକାଶ ଓ ବଣ୍ଟି ସହିତ ସୂରଜଙ୍କ କୌଣସି କାରଣକୁ ନେଇ ମାର୍ପିଟ୍ ହୋଇଥିବା ବି କୁହାଯାଉଛି। ୧୪ ତାରିଖ ରାତିରେ ଅଭିଯୁକ୍ତମାନେ ସୂରଜଙ୍କୁ ବାଇକ୍ରେ ଆକାଶ ଓ ବଣ୍ଟିର ବରମଚାରୀସ୍ଥିତ ଘରକୁ ନେଇଥିଲେ। ସେଠାରେ ତାଙ୍କୁ ମାର୍ପିଟ୍ କରାଗଲା। ପୁଣି ରାତି ୧୨ଟା ବେଳେ ବାଇକ୍ରେ କଟାପାଲି କେନାଲ୍ ପାଖକୁ ନେଇଥିଲେ। ସେଠାରେ ସୂରଜଙ୍କୁ ପଥର ଓ ଲାଠିରେ ମାଡ଼ ମାରି ହତ୍ୟା କରିଥିଲେ।
ପୁଲିସ୍କୁ ଭୁଆଁ ବୁଲାଇବା ପାଇଁ ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଶବକୁ ବାଇକ୍ରେ ଆଣି ଗାନ୍ଧୀଛକ ନିକଟସ୍ଥ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଗଳି ନିକଟରେ ପକାଇ ଦେଇଥିଲେ। ସେଠାରୁ ଯାଇ ସମସ୍ତେ ତରୁଣର ଘରେ ଆଶ୍ରୟ ନେଇଥିଲେ। ସବୁ ଘଟଣାର ସିନ୍ ରିକ୍ରିଏସନ୍ ପରେ ସଂକ୍ଷିପ୍ତ ସମୟ ମଧ୍ୟରେ ଘଟଣା ଉପରୁ ପରଦା ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/baragarh-suraj-murder-case.jpg)