ଭୁବନେଶ୍ୱର/ରାଜନଗର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଅପରାଧ ସାମ୍ରାଜ୍ୟର ଚାରି ପ୍ରମୁଖ କାର୍ପଟଦାର ତଥା ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ଚାରି ଅଭିଯୁକ୍ତ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ସେକ୍ ଅବଦୁଲା ଓରଫ୍ ରାଜେଶ୍, ଜାହାଙ୍ଗିର ଖାନ୍, ଇମ୍ତିଆଜ୍ ଖାଁ ଓରଫ୍ ବାବୁ ଓରଫ୍ କାଲୁ, ଲାଲବାଗ ଥାନା ଅଂଚଳର ଗୋଲ୍ଡେନ୍ ପପୁ ଓରଫ୍ ମହମ୍ମଦ ଅବଦୁଲା ଆସିଫ୍। ରାଜନଗର ଜେଏମ୍ଏଫ୍ସି କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଟିଟୋର ଏହି ଗ୍ୟାଙ୍ଗ୍ କଟକରେ ଗୋ-ଚାଲାଣ କାରବାରରେ ମଧ୍ୟ ଥିଲେ। ଗୋଲଡେନ୍ ପପୁ ଟିଟୋ ଗ୍ୟାଙ୍ଗ୍ର ମୁଖ୍ୟ ଥିଲା। ସେ ହିଁ ଟିଟୋର ସବୁ କାରବାର ବୁଝାବୁଝି କରୁଥିଲା। ଏହା ଛଡ଼ା ପପୁ ଜଣେ ସାର୍ପସୁଟର ମଧ୍ୟ।
ପୁଲିସ କହିଛି, ଅବିଭକ୍ତ କଟକ ଜିଲ୍ଲାରେ ଦାଦାବଟିଠାରୁ ଆରମ୍ଭ କରି ଟେଣ୍ଡରଫିକ୍ସିଂ, ଗୁଳିମାଡ଼, ବୋମାମାଡ଼, ବନ୍ଧୁକ ମୁନରେ ଭୟଭୀତ କରି ଏମାନେ ଆତଙ୍କ ସୃଷ୍ଟି କରି ଚାଲିଥିଲେ। ଦୀର୍ଘ ବର୍ଷ ଧରି ଟିଟୋ ଏମାନଙ୍କୁ ଆୟୁଧ କରି କଟକରୁ ହିଁ ସବୁକିଛି ନିୟନ୍ତ୍ରଣ କରୁଥିଲା। ହେଲେ କମିସନରେଟ୍ ପୁଲିସ ଏହାର ପତ୍ତା ପାଉ ନ ଥିଲା। ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଜେରା କରାଯିବା ବେଳେ ଟିଟୋ ଏମାନଙ୍କ ସଂପର୍କରେ ସତ ଓଗାଳିଥିଲା। ଏହି ତଥ୍ୟକୁ ଆଧାର କରି ଦୁଇ ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ପୁଲିସ। ସନ୍ଦେହରେ ୮ ଜଣ ଯୁବକଙ୍କୁ ଉଠାଇ ଆଣି ଜେରା କରିଥିଲେ ହେଁ ଆଜି ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜନଗର ଗ୍ରାମର ପ୍ରେମାନନ୍ଦ ଲେଙ୍କାଙ୍କ ଏତଲା ଆଧାରରେ ଏହି ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପ୍ରେମାନନ୍ଦ ଭୁବନେଶ୍ୱରସ୍ଥିତ ଏସ୍ଟିଏଫ୍ କାର୍ଯ୍ୟାଳୟରେ ଗଲା ୧୧ ତାରିଖ ଦିନ ଏତଲା ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜନଗର ବ୍ଲକରେ ଜଳସମ୍ପଦ ବିଭାଗ ପକ୍ଷରୁ ୩ଟି ଟେଣ୍ଡର ବାହାରିଥିଲା। ଏହି ୭ କୋଟି ଟଙ୍କାର କାମ ପାଇଁ ଭୁବନେଶ୍ୱରର ଶୁୁଭେନ୍ଦୁ ମହାନ୍ତିିଙ୍କ ନାଁରେ ରାଜନଗରର ପ୍ରେମାନନ୍ଦ ଲେଙ୍କା ଟେଣ୍ଡର ପକାଇଥିଲେ।
ଟେଣ୍ଡର ପଡ଼ିବା ପରେ ପ୍ରେମାନନ୍ଦଙ୍କୁ ଫୋନ୍ରେ ଧମକ ମିଳିଥିଲା। ‘କାହିଁକି କାମ ପକାଇଲୁ, ଭାଇଙ୍କ ବିନା ଅନୁମତିରେ କେହି କାମ ନେଇପାରିବେ ନାହିଁ। ଟେଣ୍ଡର ଆମାଉଣ୍ଟ୍ର ୧୦ ପ୍ରତିଶତ ଆଗୁଆ ଦେ।’ ଏଭଳି ଧମକ ମିଳିଥିଲେ ବି ପ୍ରେମାନନ୍ଦ ଫୋନ୍ରେ ବଟି ଦେବାକୁ ମନା କରିଦେଇଥିଲେ। ୨୦୧୮ ମାର୍ଚ୍ଚ ୧୯ ତାରିଖ ରାତି ୧୧ଟା ୩୦ରେ ୮/୧୦ଜଣ ଲୋକ ପ୍ରେମାନନ୍ଦଙ୍କ ଘରେ ପହଁଚି ତାଙ୍କ ବୃଦ୍ଧ ବାପାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ‘ତମ ପୁଅ କାହିଁକି ଭାଇ (ଟିଟୋ)କୁ ଦେଖା କଲାନାହିଁ। ତମ ପୁଅର ଡେଡ୍ବଡିକୁ ଅପେକ୍ଷା କର।’ ଏଭଳି ଧମକ ଦେଇ ସେମାନେ ଚାଲି ଯାଇଥିଲେ ବୋଲି ପ୍ରେମାନନ୍ଦ କ୍ରାଇମ୍ବ୍ରାଂଚର ଏସ୍ଟିଏଫ୍ ନିକଟରେ ଅଭିଯୋଗ କରିଥିଲେ। ଏସ୍ଟିଏଫ୍ ପକ୍ଷରୁ (କେସ୍ ନଂ ୯/୨୦୧୮) ଦଫା ୩୮୭, ୫୦୬, ୫୦୭, ୧୨୦ (ବି), ୩୪ ଆଇ.ପି.ସି. ଓ ୨୫ ଏବଂ ୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରାଯିବା ପରେ ଏହି ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏସଟିଏଫ୍ର ଇନିସ୍ପେକ୍ଟର ଡି. କିରୋଙ୍କ ନେତୃତ୍ୱରେ ଟିଟୋର ୪ ସହଯୋଗୀଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସରକାରୀ ଓକିଲ ତମସା ପାତ୍ର ଏସ୍ଟିଏଫ୍ ପକ୍ଷରୁ ମାମଲା ପରିଚାଳନା କରିଥିବା ବେଳେ ଟିଟୋର ୪ ସହଯୋଗୀଙ୍କ ପାଇଁ ଆଇନ୍ଜୀବି ବୀର କିଶୋର ମହାନ୍ତିି ଯୁକ୍ତି ଉପସ୍ଥାପନ କରିଥିଲେ।
କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ପକ୍ଷରୁ ଆଳିର ସୁନାମୁହିଁ ୨୦ କି.ମି. କେନାଲ୍ କାମର ନବୀକରଣ ପାଇଁ ୧ କୋଟି ୫୩ ଲକ୍ଷ ଟଙ୍କା, ରାଜନଗର ବ୍ଲକର ବେଲପାଳ ଓ ସଂଲଗ୍ନ ୩୫ କି.ମି. କେନାଲର ନବୀକରଣ କାମ ପାଇଁ ୨ କୋଟି ୯୮ ଲକ୍ଷ ୨୨ ହ ଜାର ଟଙ୍କା ଓ ୪୦ କି.ମି. ତାଳଚୁଆ କେନାଲ୍ର ନବୀକରଣ ପାଇଁ ୨ କୋଟି ୪୬ ଲକ୍ଷ ୫୯ ହଜାର ଟଙ୍କାର ଟେଣ୍ଡର ପ୍ରକାଶ ପାଇଥିଲା। ୧୯ ଫେବ୍ରୁଆରି ୨୦୧୮ରେ ଟେଣ୍ଡର ପ୍ରକାଶ ପାଇଥିବା ବେଳେ ୭ ମାର୍ଚ୍ଚ ଆବେଦନର ଶେଷ ତାରିଖ ଥିଲା। ୮ ମାର୍ଚ୍ଚ ୨୦୧୮ରେ ଟେଣ୍ଡର ଖୋଲାଯାଇଥିଲା। ଏହି ୩ଟି କାମକୁ ଭୁବନେଶ୍ୱରର ଶୁଭେନ୍ଦୁ ମହାନ୍ତିି ପାଇଥିଲେ। ୧୫ ପ୍ରତିଶତ ଲେସ୍ରେ ଟେଣ୍ଡର ପକାଇ ସେ ଏହି କାମ ପାଇଥିଲେ। ଆଳିର ସୁନାମୁହିଁ କେନାଲ୍ କାମ ୧ କୋଟି ୩୦ ଲକ୍ଷ ୨ ହଜାର ୪୬୮ ଟଙ୍କାର, ବେଲପାଳ କ୍ରିକ୍ କାମ ୨ କୋଟି ୫୩ ଲକ୍ଷ ୫୧ ହଜାର ୨୭୯ ଟଙ୍କାରେ, ତାଳଚୁଆ କେନାଲ କାମ ୨ କୋଟି ୯ ଲକ୍ଷ ୬୨ ହଜାର ୪୭୬ ଟଙ୍କାରେ ପାଇଥିଲେ।
ଜଳସମ୍ପଦ ବିଭାଗର ଏହି ୩ଟି କାମକୁ ଗ୍ୟାଙ୍ଗ୍ଷ୍ଟାର ଟିଟୋ ଓ ତାର ସହଯୋଗୀମାନେ ଫିକ୍ସି କରି ଠିକାଦାର ଚୟନ କରିଥିଲେ। ରାଜନଗର ଅଂଚଳର ଜଣେ ଠିକାଦାର ୨ ରୁ ୫ ପ୍ରତିଶତ ଲେସ୍ରେ ବିଭିନ୍ନ ଠିକାଦାରଙ୍କ ନାଁରେ ୩ଟି ଟେଣ୍ଡର ପକାଇଥିଲେ। ଟେଣ୍ଡର ପାଇବା ପରେ ଟିଟୋକୁ ୧୦ ପ୍ରତିଶତ ଦିଆଯାଇ ଥାନ୍ତା। ମାତ୍ର ଶୁଭେନ୍ଦୁ ମହାନ୍ତିିଙ୍କ ନାଁରେ ରାଜନଗରର ପ୍ରେମାନନ୍ଦ ଲେଙ୍କା ୧୫ ପ୍ରତିଶତ ଲେସ୍ରେ ଟେଣ୍ଡର ପକାଇ କାମ ପାଇଯିବା ପରେ ଗ୍ୟାଙ୍ଗ୍ଷ୍ଟର ଟିଟୋର ଫିକ୍ସିଂ କାମ ଦେଇନଥିଲା। ଏହାପରେ ଟିଟୋର ସହଯୋଗୀମାନେ ପ୍ରେମାନନ୍ଦଙ୍କୁ ଫୋନ୍ରେ ଧମକ ଦେବା ସହ ତାଙ୍କ ଘରେ ପହଁଚି ବନ୍ଧୁକ ଦେଖାଇ ଧମକ ଦେଇଥିଲେ।
ଅନ୍ୟପକ୍ଷରେ ଟିଟୋର ଭାଇମାନଙ୍କୁ ନୋଟିସ୍ ପଠାଯିବା ସତ୍ତ୍ୱେ ସେମାନେ ହାଜର ହେଉନ ଥିବାରୁ ସେମାନଙ୍କୁ ଗିରଫ କରିବାକୁ ଏସ୍ଟିଏଫ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଆଜିର ଗିରଫଦାରୀକୁ ମିଶାଇଲେ,ଏବେ ସୁଦ୍ଧା ଟିଟୋର ୧୩ ଜଣ ସହଯୋଗୀଙ୍କୁ ଗିରଫ କରି ସାରିଲାଣି ଏସ୍ଟିଏଫ୍ ।
ପେଟ୍ରୋଲ୍ ପମ୍ପ ଆବଣ୍ଟନ : ସିବିଆଇ ତଦନ୍ତ ସୁପାରିସ
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଏହି ପ୍ରସଙ୍ଗରେ ତନାଘନା ଚଳାଇଛି। ଇଡି ଓ ଆୟକର ବିଭାଗକୁ ତଦନ୍ତରେ ପଶିବା ଲାଗି ଇତିମଧ୍ୟରେ ଚିଠି କରିଛି ଏସ୍ଟିଏଫ୍। ଠିକ୍ ଏମିତି ଏକ ସମୟରେ ଟିଟୋର ଆର୍ଥିକ ଓ ଅପରାଧ ସାମ୍ରାଜ୍ୟର ଖୋଳତାଡ଼ କରିବା ଲାଗି ସିବିଆଇ ପଶିପାରେ। ଆଜି ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି।
କେଉଁ ପରିସ୍ଥିତିରେ ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ ଅସ୍ଥାୟୀ କୋକୋ ପେଟ୍ରୋଲ ଟାଙ୍କି ଅପରାଧିକ ପୃୃଷ୍ଠଭୂମିର ବ୍ୟକ୍ତିଙ୍କୁ ମିଳିଲା, ତାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁମୋଦନ ପରେ ମାମଲାର ତଦନ୍ତ କରିବା ଲାଗି ଭାରତୀୟ ତୈଳ ନିଗମ ସିବିଆଇକୁ ଚିଠି ଲେଖି ଜଣାଇଛି। ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଥିରେ ଅନୁରୋଧ କରାଯାଇଛି।
ଭାରତୀୟ ତୈଳ ନିଗମ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ, କେନ୍ଦ୍ରାପଡ଼ା ସହର ବଡ଼ହାଟଠାରେ ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ ପୋର୍ଟ ଟ୍ରଷ୍ଟରେ ଥିବା କୋକୋ ପେଟ୍ରୋଲ ଟାଙ୍କିର ଅସ୍ଥାୟୀ ଡିଲରସିପ୍ ପ୍ରଦାନରେ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା ଜଣାପଡିଥିଲା।
ପ୍ରକାଶଥାଉକି, ଏନେଇ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ପକ୍ଷରୁ ମଧ୍ୟ କେସ୍ ନମ୍ବର ୮/୧୮ରେ ଏକ ସ୍ୱତନ୍ତ୍ର ଭାବେ ମାମଲା ରୁଜୁ ହୋଇଛି। ଟିଟୋ ଭଳି ଜଣେ ଦୁର୍ଦାନ୍ତ ଅପରାଧୀର ଘନିଷ୍ଠ ସହଯୋଗୀ ଆଦି କେନ୍ଦ୍ରାପଡ଼ା ଓ ପାରାଦୀପରେ କେଉଁ ପରିସ୍ଥିତିରେ ପେଟ୍ରୋଲ ପମ୍ପ ପାଇବାକୁ ଅନୁମତି ପାଇଲେ ସେନେଇ ଏସ୍ଟିଏଫ୍ ପକ୍ଷରୁ ଅନୁସନ୍ଧାନ କରାଯାଉଛି। କ୍ରାଇମ୍ବ୍ରାଞ୍ଚ ପରେ ପରେ ସିବିଆଇ ଏହି ମାମଲାର ତଦନ୍ତ କରିବା ପାଇଁ ଆଇଓସିିଏଲ ସୁପାରିସ କରିବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଆଲୋଚନା ଆରମ୍ଭ ହେଲାଣି।