ପ୍ରେମ ବିବାହର କରୁଣ ପରିଣତି : ଶାଶୂଘର ଲୋକଙ୍କ ଆକ୍ରମଣରେ ଝିଅର ବାପା ମୃତ, ୪ ଗିରଫ

ବରୀ : ଭଲପାଇ ଯାହାର ହାତ ଧରିଥିଲା ସେ ଧୋକା ଦେଲା। ଶାଶୂଘର ଲୋକେ ଘରେ ପୂରାଇ ଦେଲେନି। ଓଲଟି ସ୍ବାମୀ, ଶାଶୂ, ଶ୍ବଶୁରଙ୍କ ନିର୍ଯାତନା ବଳେଇ ପଡ଼ିଲା। ଝିଅକୁ ରକ୍ଷା କରିବାକୁ ଯାଇଥିବା ବାପା ଶାଶୂଘର ଲୋକଙ୍କ ପ୍ରାଣାନ୍ତକ ଆକ୍ରମଣରେ ‌ଜୀବନ ହାରିଲେ। ଏପରି ଘଟଣା ବରୀ ଥାନା ଅନ୍ତର୍ଗତ ଅନ୍ୟାସୀପୁର ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ବରୀ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଅନ୍ୟାସୀପୁର ଗ୍ରାମର ବାବାଜୀ ସେଠୀଙ୍କ ସାନପୁଅ ସ‌ନ୍ତୋଷ ଗତବର୍ଷ ସେହି ଗ୍ରାମର କାଳନ୍ଦୀ ସେଠୀଙ୍କ ବଡ଼ଝିଅ ମମତାଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘରର କିଛିଦିନ ପରେ ସନ୍ତୋଷ ମମତାଙ୍କୁ ନେଇ ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ରାମଚଣ୍ଡି ଅଞ୍ଚଳରେ ରହିଥିଲେ। କିଛିମାସ ପରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଗତ ୨୦ ତାରିଖରେ ଉଭୟ ଖୋର୍ଦ୍ଧାରୁ ଘରକୁ ଫେରିଥିଲେ। ମିଠା କିଣିବା ବାହାନାରେ ସନ୍ତୋଷ ବରୀ ବଜାରରେ ମମତାଙ୍କୁ ଛାଡ଼ି ଚାଲିଯାଇଥିଲେ। ସ୍ବାମୀଙ୍କୁ ନପାଇ ମମତା ସେଠା‌ରୁ ଏକାଏକା ଶାଶୂଘରକୁ ଯାଇଥିଲେ। ହେଲେ ଶାଶୂଘର ଲୋକମାନେ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲେ। ଏହି ଘଟଣାକୁ ନେଇ ମମତା ବରୀ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଅନ୍ୟାସୀପୁର ଯାଇ ଶାଶୂଘର ଲୋକଙ୍କୁ ବୁଝାସୁଝା କରି ମମତାଙ୍କୁ ସେଠାରେ ଛାଡ଼ି ଆସିଥିଲେ। ମାତ୍ର ପୁଲିସ ଚାଲିଯିବା ପରେ ଶ୍ବଶୁର ବାବାଜୀ ସେଠୀ, ଶାଶୂ ମହୁଲି ସେଠୀ, ଦେଡ଼ଶୁର ମଳୟ ସେଠୀ ଓ ବସନ୍ତ ସେଠୀ ମମତାଙ୍କୁ ମାରଧର କରିଥିଲେ। ଝିଅକୁ ମାରଧର କରୁଥିବା ଖବର ପାଇ ମମତାଙ୍କ ବାପା କାଳନ୍ଦୀ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଅଭିଯୁକ୍ତମାନେ କଟୁରି, ଭୁଜାଲି ଓ ପନିକିରେ କାଳନ୍ଦୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାଳନ୍ଦୀଙ୍କୁ ଉଦ୍ଧାର କରି ଗାଁ ଲୋକେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଓ ପରେ କଟକ ନିଆଯାଉଥିବା ବେଳେ ଗତ ୨୩ ତାରିଖରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ କାଳନ୍ଦୀଙ୍କ ପତ୍ନୀ ରଂଗବତୀଙ୍କ ଅଭିଯୋଗ କ୍ରମେ ଥାନା କେସ୍‌ ନମ୍ବର ୧୯୪/୨୦ ଦଫା ୩୦୭ ରେ ମାମଲା ରୁଜୁ ହୋଇଥିଲା। କାଳନ୍ଦୀଙ୍କ ମୃତ୍ୟୁ ପରେ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ତତ୍ତ୍ବାବଧାନରେ ୩/୪ ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗତ ୨୬ ତାରିଖରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ବସନ୍ତ, ମଳୟ, ବାବାଜୀ ଓ ମହୁଲିକୁ ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ନୂଆସାହି ବସ୍ତିରୁ ଗିରଫ କରାଯାଇଥିଲା। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି, ଭୁଜାଲି, ପନିକି ଜବତ କରାଯାଇଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର