ଲୁଟ ମାମଲାରେ ୪ଗିରଫ, ୧ ଲକ୍ଷ ଟଙ୍କା ଜବତ; ନିଜେ ଅଭିଯୁକ୍ତ ରଚିଥିଲା ନାଟକ

ଆସିକା:  ଅଭିଯୁକ୍ତ ହିଁ  ରଚିଥିଲା ନାଟକ। ଆଉ ଯୋଜନା ମୁତାବକ ନିଜର ଅନ୍ୟ ସହଯୋଗୀଙ୍କ ସହ  ଲୁଟ କରିଥିଲା ୧ ଲକ୍ଷ ଟଙ୍କା । ନିଜକୁ ଲୁଟର ଶିକାର ହୋଇଥିବା ଦର୍ଶାଇ ବେଶ ଅଭିନୟ କରିଥିଲା। କିନ୍ତୁ ପୁଲିସର ପଚରାଉଚରା ବେଳେ ସତ ମାନିଯାଇଥିଲା। ନିଜେ ଏହି ଲୁଟରେ ଅଭିଯୁକ୍ତ ଥିବା ସ୍ବୀକାର କରିଥିଲା। ଏଭଳି ଏକ ଘଟଣା ଘଟିଛି  ଆସିକା  ଥାନା  ଅଞ୍ଚଳରେ।

ଲୁଟ୍‌ ଘଟଣାରେ ପୁଲିସ  ଗାଙ୍ଗପୁର ଥାନା ଅନ୍ତର୍ଗତ କେଶପୁର ଗ୍ରାମର ଶିବ ରାମ ସେଠୀ, ହିଞ୍ଜିଳି ଥାନା  ସନ୍ତୋଷପୁରର ବିକାଶ ଜେନା, ହୁଣ୍ଡତ ଗ୍ରାମର ସନ୍ତୋଷ କୁମାର ବେହେରା ଓ  ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମର କାହ୍ନୁ ମଣ୍ଡଳଙ୍କୁ ଗିରଫ କରିଛି। ହେଲେ ଗିରଫ ଶିବରାମ ସେଠୀ ନିଜେ ଏହି ଲୁଟର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଶିବରାମ ପିତଳ ଛକରେ ଥିବା ଏକ ମଦ ଦୋକାନରେ କାମ କରୁଥିବା ବେଳେ ଘଟଣାଦିନ ନିଜେ ଟଙ୍କା ନେଇ ବ୍ୟାଙ୍କରେ ଜମା ପାଇଁ ଅନ୍ୟ ସକର୍ମୀଙ୍କ ସହ ଯାଉଥିଲେ।    ପୂର୍ବ ଯୋଜନା ପ୍ରକାରେ ଏହି କାଣ୍ଡ ଗିରଫ ଅନ୍ୟ ତିନି ଅଭିଯୁକ୍ତଙ୍କ ସହ ମିଶି ଏହି ଲୁଟ ଭିଆଇଥିଲା। ହେଲେ ପୁଲିସ ଶିବରାମକୁ ପଚରାଉଚରା ବେଳେ ସନ୍ଦେହ ହେବାରୁ ସବୁ ସତ ପଦାକୁ ଆସିଥିଲା।  ପୁଲିସ ଗିରଫ ଅଭିଯୁକ୍ତଙ୍କୁ କେସ ନଂ ୧୩୮/୨୧ ପ୍ରକାରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।
ସୂଚନା ପ୍ରକାରେ ପିତଳ ବିଦେଶୀ ମଦ ଦୋକାନର କର୍ମଚାରୀ ରାକେଶ କୁମାର ସିଂ ଓ ଗିରଫ ଅଭିଯୁକ୍ତ ଶିବରାମ ସେଠୀ ଏକ ବାଇକରେ   ଗତ ୮ତାରିଖରେ  ବ୍ୟାଙ୍କ୍‌କୁ  ଟଙ୍କା ଜମା କରିବା ପାଇଁ ଯାଉଥିଲେ। ହେଲେ  କର‌ଞ୍ଜେଇ ଛକ ନିକଟରେ ଶିବରାମର ଅନ୍ୟ ୩ ସହଯୋଗୀ ସନ୍ତୋଷ, କାହ୍ନୁ ଓ ବିକାଶ  ବାଇକ୍‌କୁ ଅଟକାଇ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହାପରେ ୪ ଜଣ  ୨୫ହଜ଼ାର ଟଙ୍କା ଭାଗ କରିଥିଲେ। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ ଅଭିଯୁକ୍ତଙ୍କୁ କ‌ାବୁ କରିଥିଲେ।

ସମ୍ବନ୍ଧିତ ଖବର