ପାପଡ଼ାହାଣ୍ଡି: ପେଟ୍ରୋଲ ପମ୍ପରୁ କିଭଳି ଲୁଟ୍ କରାଯିବ ସେନେଇ ଏକ କାଜୁ ବାଡ଼ରେ ଚାଲିଥିଲା ଯୋଜନା। ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ୪ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ଜଣ ଫେରାର ହୋଇ ଯାଇଛନ୍ତି। ଡକାୟତମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ପୋଣ୍ଡିକୋଟ ପଞ୍ଚାୟତର ପ୍ରଧାନୀଗୁଡ଼ାସ୍ଥିତ ଏସ୍ଆର ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରାଯାଇଥିବା ନେଇ ଡିଏସ୍ପି ବବିତା ତ୍ରିପାଠୀ କହିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପ୍ରଧାନୀଗୁଡା ଢ଼ାବା ନିକଟରେ ଥିବା କାଜୁବାଡ଼ ଭିତରେ ଟର୍ଚ୍ଚ ଲାଇଟ୍ ଲଗାଇ ମଦ୍ୟପାନ କରିବା ସହିତ ଏସ୍ଆର ପେଟ୍ରୋଲ ପମ୍ପରୁ ଲୁଟ୍ କରିବା ନେଇ ଯୋଜନା କରୁଥିଲେ। ଏ ସଂପର୍କରେ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ପାପଡ଼ାହାଣ୍ଡି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଶିବଜୀ ପଣ୍ଡାଙ୍କ ନେତୃତରେ ଏକ ଟିମ୍ ଏହି କାଜୁ ବାଡ଼ ଭିତରେ ଅତର୍କିତ ଚଢ଼ଉ କରିଥିଲେ।
ପୁଲିସକୁ ଦେଖିବା ମାତ୍ରେ ୪ଜଣ ଦୁର୍ବୃତ୍ତ ଚମ୍ପଟ ମାରିଥିବା ବେଳେ ଅନ୍ୟ ୪ଜଣଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା। ଏଥିସହ ଘଟଣା ସ୍ଥଳରୁ ପୁଲିସ ଲୁହା ରଡ୍, ଗୋଟିଏ କାତି, ଦୁଇଟି ମୋବାଇଲ ଏବଂ ଠେଙ୍ଗା ଜବତ କରିଥିଲା। ପୁଲିସ ଦୁର୍ବୃତ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ଏସ୍ଆର ପେଟ୍ରୋଲ ପମ୍ପରୁ ଲୁଟ୍ କରିବା ପାଇଁ ଯୋଜନା କରୁଥିଲେ ବୋଲି ସ୍ବୀକାର କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ବରଙ୍ଗପୁର ତୋଟା ସାହିର ବିକାଶ ବୈପାରୀ, ଆକାଶ ହରିଜନ ଏବଂ ପଙ୍କଜ ଵାଘେଲ ଏବଂ ପାପଡାହାଣ୍ଡି ବ୍ଲକ ଖଲିଗୁଡା ଗ୍ରାମର ତଦନ୍ତ କୋଚିମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।