ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର ନିକଟସ୍ଥ ନାଉପାଳଗଡ଼ି ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇ ବାଲେଶ୍ବର ବଡ଼ ଡାକ୍ତରଖାନା ଆଇସିୟୁରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କୁ ଆଜି ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଅଟକ ୪ ଜଣଙ୍କ ମଧ୍ୟରୁ ୩ ଜଣ ଦୋଷ ସ୍ବୀକାର କରିଥିବାବେଳେ ଅନ୍ୟ ଜଣେ ମୁହଁ ଖୋଲିନଥିବା ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ପ୍ରକାଶଥାଉକି, ସ୍ବାମୀଙ୍କ ମୃତ୍ୟୁ ପରେ ନିଜର ୭ ପିଲାଙ୍କୁ ଚଳାଇବା ପାଇଁ ମୟୂରଭଞ୍ଜ ଅଞ୍ଚଳର ଏହି ମହିଳାଜଣକ ୩ ମାସ ହେଲା ଚାନ୍ଦିପୁର ନିକଟ ନାଉପାଳଗଡ଼ିକୁ ଆସି ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। କାମ କରିବା ମଧ୍ୟରେ କିଛି ବ୍ୟକ୍ତିଙ୍କ ଲୋଲୁପ ଦୃ‌ଷ୍ଟି ତାଙ୍କ ଉପରେ ପଡ଼ିଥିଲା। ଗୁରୁବାର ରାତି ପାଖାପାଖି ୯ଟାରେ ସେ ଭଡ଼ା ଘରେ ଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚି କବାଟ ଖୋଲିବାକୁ କହିଥିଲେ। ମହିଳାଜଣକ କବାଟ ଖୋଲିବା ମାତ୍ରେ ଶଙ୍କର ମୁର୍ମୁ ଓ ତାର ସହଯୋଗୀ ରମେଶ ଓ କାଳିଆ ଘର ଭିତରେ ପଶିଯାଇ ତାଙ୍କୁ କାବୁ କରିନେବା ସହ ଜୋରଜବରଦସ୍ତ ମଦ ପିଆଇଥିଲେ। ନିଶା ହେବା ପରେ ରାତିତମାମ ଅତ୍ୟାଚାର କରି ତାଙ୍କ ଶରୀର ଓ ସମ୍ବେଦନଶୀଳ ଅଙ୍ଗକୁ ଝୁଣି ରକ୍ତାକ୍ତ କରି ଦେଇଥିଲେ ଅଭିଯୁକ୍ତ। ପରେ ସକାଳୁ ସକାଳୁ ପୀଡ଼ିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଚିଙ୍ଗୁଡ଼ି ଫାର୍ମ ପାଚେରି ପଛପଟ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବଳରାମଗଡ଼ି ମେରାଇନ୍‌ ଥାନା ପୁଲିସ ଘଟଣାସ୍ଥଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ପଠାଇଥିଲା।