ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କଶିଗୁଡା ଠାରେ ଚାଲିଥିବା କୁକୁଡ଼ା ଲଢ଼େଇ ( କୁକୁଡ଼ା ଗାଲି) ଉପରେ ପୁଲିସ ଚଢ଼ଉ କରି ୪ ଜୁଆଡିକୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୨ ହଜାର ୪ ଶହ ୨୦ ଟଙ୍କା, ଦୁଇଟି କୁକୁଡ଼ା ଗଞ୍ଜା ଏବଂ ଖୁଡୁଖୁଡି ପାଲି ଜବତ କରିଥିବା ଆଇଆଇସି ଅଶ୍ବିନ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, କୈାଣସି ସୂତ୍ରରୁ ଖବର ପାଇ କଶିଗୁଡା ଠାରେ ଚାଲିଥିବା କୁକୁଡ଼ା ଗାଲି ଉପରେ ପୁଲିସ ଚଢ଼ଉ କରିଥିଲା। ତେବେ ପୁଲିସକୁ ଦେଖି କିଛି ଜୁଆଡି ଦୌଡି ଚାଲିଯାଇଥିବା ବେଳେ ୪ ଜଣକୁ କରିବାରେ ସମର୍ଥ ହୋଇଛି। ଘଟଣାସ୍ଥଳରୁ ଦୁଇଟି ଲଢୁଆ ଗଞ୍ଜା ସହ ୨୪୨୦ ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ବୈପାରିଗୁଡା ବ୍ଲକ ତଥା ପଡ଼ୋଶୀ ବ୍ଲକର ବିଭିନ୍ନ ସ୍ଥାନରେ କୁକୁଡ଼ା ଗାଲି ଚାଲିବା ଏକ ସାଧାରଣ ଘଟଣା ପାଲଟିଛି। କୁକୁଡ଼ା ଗାଲିରେ ହଜାର ହଜାର ଟଙ୍କା ବାଜି ଲାଗେ। ବର୍ତମାନ ଧାନ କଟା ଋତୁ ଆରମ୍ଭ ହୋଇଥିବା ବେଳେ କୁକୁଡ଼ା ଗାଲି ମଧ୍ୟ ଆରମ୍ଭ ହୋଇଥାଏ। ଯାହାଫଳରେ ଅନେକ ଲୋକ ଏହି ଜୁଆ ଖେଳରେ ଭାଗ ନେବାପାଇଁ ନିଜ ବର୍ଷକର ପରିଶ୍ରମର ଫଳ ରୂପେ ପାଇଥିବା ଫସଲ ବିକ୍ରି କରି ଜୁଆରେ ଉଡ଼େଇ ଦିଅନ୍ତି। ଯାହାକୁ ନେଇ ପାରିବାରିକ ଅଶାନ୍ତି ଏପରିକି ହିଂସା ମଧ୍ୟ ସୃଷ୍ଟି ହୋଇଥାଏ। ଯେଉଁଠି କୁକୁଡ଼ା ଗାଲି ଚାଲେ, ସେଠାରେ ଚୋରା ମଦ ଏବଂ ସଲପ ମଧ୍ୟ ବିକ୍ରି ହୁଏ। ତା ସହିତ ଖୁଡୁଖୁଡି ଖେଳର ଆସର ଜମେ। ବହୁ ପରିବାର ଏହି କାରଣରୁ ଉଜୁଡି ଯାଉଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ଭାବେ ରୋକିବା ସମ୍ଭବ ହୋଇପାରୁନାହିଁ।