ରାଉରକେଲା (ତାପସ ଦାସ): ମଙ୍କି କ୍ୟାପ୍ ପିନ୍ଧି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ରାଉରକେଲା ପୁଲିସ ଆଜି ଘଟଣାର ପର୍ଦାଫାସ କରିଛି। ଏହା ଏକ ଯୋଜନାବଦ୍ଧ ଦୁର୍ଘଟଣା ଓ ଗଣ ଦୁଷ୍କର୍ମ। ପୁଲିସ ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାର ମହମ୍ମଦ ହୀରା, ପପୁ, ସରଫରାଜ ଓ ଯୁବତୀଙ୍କ ପୁରୁଷ ବନ୍ଧୁ। ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଚୋରା ବୋଲେରୋ, ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଛୁରି ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରାଉରକେଲା ଏସପି କେ. ଶିବା ସୁବ୍ରମଣୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଆଜି ସଂଧ୍ୟାରେ ଛେଣ୍ଡ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳିନୀରେ ଏସପି ସୁବ୍ରମଣୀ ସୂଚନା ଦେଇଛନ୍ତି କି, ଯୁବତୀଙ୍କ ପୁରୁଷ ବନ୍ଧୁ ଜଣେ ବିବାହିତ ପୁରୁଷ। କିନ୍ତୁ ସେ ଦୀର୍ଘ ଦିନ ହେବ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ। ଘଟଣା ରାତି ପ୍ରାୟ ସାଢେ଼ ୪ଟାବେଳେ ସେ ଯୁବତୀଙ୍କ ସହିତ ବାଇକରେ ଗୁରୁଣ୍ଡିଆ ନିକଟରେ ଆସୁଥିବାବେଳେ ଅଭିଯୁକ୍ତମାନେ ଦୁଇଟି ବୋଲେରୋରେ ଆସି ଦୁର୍ଘଟଣା ଘଟାଇଥିଲେ। ପରେ ଯୁବତୀଙ୍କୁ ଅପହରଣ କରି ଆଣି ସେକ୍ଟର ୧୩ ଓମଫେଡ୍ ଫ୍ୟାକ୍ଟ୍ରି ପଡ଼ିଆ ନିକଟରେ ଜଣକ ପରେ ଜଣେ ଗଣ ଦୁଷ୍କର୍ମ କରିଥିଲେ।
ଏନେଇ ଯୁବତୀ ଜଣକ ଚଳିତ ମାସ ୧୬ ତାରିଖରେ ଛେଣ୍ଡ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ପୁଲିସକୁ ଗୋଟିକ ପରେ ଗୋଟିଏ ରୋଚକ ତଥ୍ୟ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ପୁଲିସ ମାରାଥନ ଜେରା କରିବା ପରେ ଘଟଣାର ସତ୍ୟତା ଧିରେ ଧିରେ ପଦାକୁ ଆସିଥିଲା।
ଏସପିଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପେଶାଦାର ଲୁଟେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ଦୁଇ ଦିନ ପୂର୍ବରୁ ସେମାନେ ଝାରସୁଗୁଡ଼ା ଯାଇଥିଲେ ସେଠାରେ ଏକ ବୋଲେରୋ ଲୁଟ୍ କରିଥିଲେ। ପୁଣି ଥରେ ସେମାନେ ରାଉରକେଲା ଆସି ଏଠାରେ ରହିଥିଲେ। ଏହା ପରେ ପୁଣି ଥରେ ସେମାନେ ଅନୁଗୁଳ ଯାଇଥିଲେ। ସେଠାରୁ ମଧ୍ୟ ଏକ ବୋଲେରୋ ଲୁଟ କରି ରାଉରକେଲା ନେଇ ଆସିଥିଲେ। ଅନୁଗୁଳରୁ ଫେରିବା ପରେ ଗୁରୁଣ୍ଡିଆ ଯାଇଥିଲେ। ସେଠାରେ ଯୁବତୀଙ୍କୁ ଦେଖିବା ପରେ ବାଇକ ସହିତ ଦୁର୍ଘଟଣା ଘଟାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଯୁବତୀଙ୍କୁ ଅପହରଣ କରି ଆଣି ସେହି ପଡ଼ିଆରେ ଗଣ ଦୁଷ୍କର୍ମ କରିଥିଲେ।
ଏଭଳି ଅଭିଯୋଗ ପାଇବା ପରେ ପୁଲିସର ସନ୍ଦେହ ପ୍ରଥମେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ଉପରକୁ ଯାଇଥିଲା। କେଉଁ ପରିସ୍ଥିତିରେ ଦୁର୍ଘଟଣା ପରେ ଯୁବକ ଜଣ ରାଉରକେଲା ଆସି ଚିକିତ୍ସା ହେଲେ ତାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପୁଲିସ ଯୁବକଙ୍କ ମୋବାଇଲ୍ ଫୋନ୍ ଓ ଲୋକେସନ୍ ଟ୍ରାକ କରିବା ଆରମ୍ଭ କରିଥିଲା। ଜଣା ପଡ଼ିଥିଲା କି ଘଟଣା ପରେ ସମସ୍ତେ ସାଙ୍ଗ ହୋଇ ରାଉରକେଲା ଆସିଥିଲେ। ଏଠାରେ ଦୁଷ୍କର୍ମ ମଧ୍ୟ କରିଥିଲେ। ଯେହେତୁ ଯୁବକ ଜଣକ ବିବାହିତ ସେ ଆଉ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ। ତେଣୁ ଏସବୁ ନାଟକର ଯୋଜନା ହୋଇଥିଲା ବହୁ ପୂର୍ବରୁ। ଯେହେତୁ ଏକ ଗଣ ଦୁଷ୍କର୍ମ ଘଟଣା ପୁଲିସ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି।
ତେବେ ଅଭିଯୁକ୍ତମାନେ ପୂର୍ବରୁ ଏଭଳି ବୋଲେରୋ ଲୁଟପାଟ୍ କେଉଁ କେଉଁ ଜିଲ୍ଲାରେ କରିଛନ୍ତି, ସେ ନେଇ ଅଧିକ ଅନୁସନ୍ଧାନ କରାଯିବ ବୋଲି ଏସପି ସୁବ୍ରମଣୀ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ପରେ ଏସପି ସୁବ୍ରମଣୀ ଘଟଣାସ୍ଥଳକୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ସେଠାରେ ଏଭଳି ଏକ ଗଣ ଦୁଷ୍କର୍ମ ଘଟଣା ଘଟିଲା ତାର ତଜର୍ମା ମଧ୍ୟ କରିଛନ୍ତି। ଭବିଷ୍ୟତରେ ଯେମିତି ଏଭଳି ଅଭିଯୋଗ ନ ଆସେ ସେ ସମ୍ପର୍କରେ ପୁଲିସ ଅଧିକାରୀଙ୍କୁ କହିବା ସହିତ ସହିତ ସ୍ଥାନୀୟ ଅଂଚଳରେ ପାଟ୍ରୋଲିଂ ବଢ଼ାଇବାକୁ ନିର୍ଦେଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ଡିଏସପି ଓ ଥାନା ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।।