ଜୟପୁର: ଚୋରି ପୂର୍ବରୁ ସାମଗ୍ରୀର ଫୋଟ ପଠାଯାଉଛି। ସାମଗ୍ରୀକୁ ଦେଖି ଦର ଫାଇନାଲ୍ କରାଯାଉଛି। ଏହାପରେ ଯୋଜନା ମୁତାବତ ଚୋରି କରି ସାମଗ୍ରୀକୁ ବିକ୍ରି କରି ଦିଆଯାଉଛି। ଜୟପୁର ସଦରଥାନା ଅନ୍ତର୍ଗତ ଡିମଳା ଗ୍ରାମ ଠାରେ ଏଭଳି ଚୋରି ଘଟଣା ଘଟିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ଓ ସେମାନଙ୍କ ଠାରୁ ଲକ୍ଷାଧିଙ୍କ ଟଙ୍କାର ସାମଗ୍ରୀ ଜବତ କରିଛି। ଡିମଳା ଗ୍ରାମ ନିକଟରେ ଥିବା ଗୋଟିଏ କୃଷି ଯନ୍ତ୍ରପାତି ବିକ୍ରି ଓ ସର୍ଭିଂସି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ଚୋରି କରିଥିବା ବେଳେ ଜଣେ ବ୍ୟକ୍ତି ବିକ୍ରି ସାମଗ୍ରୀକୁ କମ୍ ଦାମରେ କିଣିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ ମୂଳାସର ଗ୍ରାମର ମୋହନ ତନ୍ତି (୨୪), ବିକି ସୂର୍ଯ୍ୟା (୨୦), ରଣ୍ଡାପାଲି ଗ୍ରାମର ଅମିତ୍ ଗାଇନ୍ (୨୨) ଓ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍ପିଭି-୧୪ ଗ୍ରାମର ଅମିତେଶ୍ ମଣ୍ଡଳ (୨୭)। ୪ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜୟପୁର ଏସ୍ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
ପୁଲିସ କହିବାନୁଯାୟୀ, ଜଗତସିଂହପୁର ଅଞ୍ଚଳର ରାହୁଲ କୁମାର ରଣା ଡିମଳା ଗ୍ରାମ ନିକଟରେ ସିଦୀକ୍ଷା ଡାଇନାମିକ୍ ଏଗ୍ରିକଲଚର ସର୍ଭିସିଂ ସେଣ୍ଟର ଖୋଲିଥିଲେ। ଏହାକୁ ତାଙ୍କର ମ୍ୟାନେଜର ଅନିଲ ଜେନା ପରିଚାଳନା କରୁଥିଲେ। ସେଠାରେ କୃଷି ଯନ୍ତ୍ରପାତି ବିକ୍ରି ସହ ୱେଲଡିଂ କାମ ମଧ୍ୟ କରାଯାଉଥିଲା। ସେହି ଦୋକାନରେ ଗତ ଦେଢ଼ ବର୍ଷ ଧରି ମୂଳାସର ଗ୍ରାମର ମୋହନ ତନ୍ତି କାମ କରି ଆସୁଥିଲେ। କିନ୍ତୁ ଚୋରି ହେବା ଘଟଣାର ୬ ଦିନ ପୂର୍ବରୁ ମୋହନ କାମକୁ ଯାଇ ନଥିଲେ। ମୋହନ ଛୁଟିରେ ରହିବା ପୂର୍ବରୁ ସେହି ଦୋକାନରେ ଥିବା ଯନ୍ତ୍ରପାତିର ଫଟୋ ଉଠାଇ ନେଇ ଅମିତେଶ୍ ମଣ୍ଡଳକୁ ପଠାଇଥିଲେ। ଏହି ସାମଗ୍ରୀର ଦର ବିଷୟରେ ପଚାରି ଫାଇନାଲ୍ କରିବା ପରେ ଚୋରି ପାଇଁ ଯୋଜନା କରିଥିଲେ। ପାଖାପାଖି ୩ ଲକ୍ଷ ଟଙ୍କାର ସାମଗ୍ରୀକୁ ୬୦ ହଜାର ଟଙ୍କାରେ କିଣାବିକା ପାଇଁ ଫାଇନାଲ କରିଥିଲେ।
ଯୋଜନା ମୁତାବକ ଗତ ଜାନୁଆରି ୨୯ ତାରିଖ ରାତି ୮ଟା ପରେ ମୋହନ ଓ ତାଙ୍କ ଗ୍ରାମର ବିକି ସୂର୍ଯ୍ୟା ଏକ ନମ୍ବର ବିହୀନ ବାଇକ ଜଣଙ୍କ ଠାରୁ ମାଗି ଆଣି ସେଥିରେ ସେହି ଦୋକାନକୁ ଯାଇଥିଲେ। ଏଥିସହ ଅମିତ୍ ଗାଇନ୍ ଗୋଟିଏ ଡାଲା ଅଟୋ (ଓଡି ୧୦ ଏସ୍ ୨୦୨୧)କୁ ନେଇ ସେହି ଦୋକାନକୁ ଯାଇଥିଲେ। ମୋହନ ସେଠାରେ ପୂର୍ବରୁ କାମ କରିଥିବା ବେଳେ ସେହି ଘରର ସମସ୍ତ ବାଟ ବିଷୟରେ ମଧ୍ୟ ଜାଣିଥିଲା। ମୋହନ ଛାତ ଉପରକୁ ଯାଇ ଗଳାବାଟ ଦେଇ ଦୋକାନ ଭିତରକୁ ପଶି ସମସ୍ତ ସିସିଟିଭିକୁ ଡିସ୍ କନେକ୍ଟେ କରିଥିଲା। ଦୋକାନ ଭିତରେ ଥିବା ଗ୍ରୀଲ କଟିଙ୍ଗ୍ ମେସିନ୍ ଓ ସିଲିଣ୍ଡର ବାହାରକୁ ଫୋଫାଡି ଥିଲା। ଏହାପରେ ତାଲାକୁ କାଟି ଦୋକାନ ଭିତରକୁ ଯାଇଥିଲା। ଗେଟ୍ ଖୋଲିଦେବା ପରେ ସେଠାରୁ ୱେଲଡିଂ ମେସିନ୍, ଡ୍ରିଲିଂ ମେସିନ୍, କଲର ମେସିନ୍, କଟିଙ୍ଗ୍ ମେସିନ୍ ଓ ଟୁଲବକ୍ସ୍ ଚୋରି କରି ନେଇଥିଲେ। ପରଦିନ ସକାଳୁ ମ୍ୟାନେଜର ଅନିଲ ଦୋକାନକୁ ଯାଇ ଦେଖିବା ବେଳେକୁ ଗେଟ୍ ଖୋଲାଥିବା ବେଳେ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ମ୍ୟାନେଜର ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ଦେଇଥଲେ। ପୁଲିସ ଥାନାରେ କେସ୍ ନଂ ୩୦/୨୨ ମାମଲା ରୁଜୁ କରି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ତଦନ୍ତ କରିବା ଭିତରେ ଚୋରି ସାମଗ୍ରୀକୁ ନେଇ କାଲିମେଳା ଅଞ୍ଚଳରେ ପହଞ୍ଚି ବିକ୍ରି କରି ସାରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗୋଟିଏ ପରେ ଗୋଟିଏ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ୨ଟି ୱେଲଡିଂ ମେସିନ୍, ୩ଟି କଟିଙ୍ଗ୍ ମେସିନ୍, ଗୋଟିଏ ଲେଖାଏଁ ଡ୍ରିଲିଂ ମେସିନ୍, କଲର ମେସିନ୍ ଓ ଟୁଲ୍ ବକ୍ସ ଜବତ କରିଥିଲେ। ଏଥିସହ ଗୋଟିଏ ଅଟୋ, ବାଇକ୍, ୧୫ ହଜାର ଟଙ୍କା ଓ ୪ଟି ମୋବାଇଲ୍ ମଧ୍ୟ ଜବତ କରିଥିବା ଏସ୍ଡିପିଓ କହିଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନାମରେ କଣ ମାମଲା ରହିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।