ପୃଥକ ଚୋରି ଘଟଣାରେ ୪ ଗିରଫ; ୭ ମୋଟରସାଇକେଲ ସହ ୨୪ଟି ମୋବାଇଲ ଜବତ

ବଡ଼ବିଲ : ବଡ଼ବିଲ ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଦୁଇଟି ପୃଥକ ପୃଥକ ଚୋରି ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୭ଟି ମୋଟରସାଇକେଲ ଓ ୨୪ଟି ମୋବାଇଲ ଫୋନ ଜବତ୍ କରିଛି।

ଖବର ଅନୁଯାୟୀ ବଡ଼ବିଲ ପୌରାଞ୍ଚଳ ୪ ନମ୍ବର ୱାର୍ଡ ଉପରବସ୍ତିର ଦୀପକ କାରୁଆ(୩୪ବର୍ଷ)ଙ୍କ ମୋଟରସାଇକେଲ(ଓଆର୦୯ଜେ-୭୬୨୦) ବିକାଶ ମହଲ ଠାରୁ ଚୋରି ହେବାନେଇ ଦୀପକ ୧୨ ତାରିଖରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବଡ଼ବିଲ ଥାନାରେ ୧୭୫/୨୧ ରେ ମାମଲା ରୁଜୁ କରାଯାଇ ପୁଲସ ପକ୍ଷରୁ ଯାଞ୍ଚ କରାଯାଉଥିଲା। ଘଟଣାରେ ପୁଲିସ ଚୋରି ହୋଇଥିବା ଦୀପକ କାରୁଆଙ୍କ ବାଇକ (ଓଆର୦୯ଜେ-୭୬୨୦) ସହ ଆଉ ଦୁଇଟି ବାଇକ( ଡବ୍ଲ୍ୟୁବି୧୨ଏସି-୮୧୮୭ ଓ ଏକ ନମ୍ବର ବିହୀନ) କୁ ଜବତ୍ କରିଛି। ସେମାନଙ୍କ ନିକଟରୁ ୧୮ଟି ନୂଆ ମୋବାଇଲ ସହ ମୋଟ୍ ୨୪ଟି ଚୋରି ମୋବାଇଲକୁ ପୁଲିସ ଜବତ୍ କରିଛି।

ଦୁଇ ଅଭିଯୁକ୍ତ ବଡ଼ବିଲ ଥାନା ନ୍ୟୁମାର୍କେଟ ଅଂଚଳର ସନୁ ସିଂ(୧୮ବର୍ଷ) ଓ କେଅଲ୍ଲୀ ମହଲାର ଏମଡି.ଜିସାନକୁ ପୁଲିସ ଗିରଫ କରିଛି। ବେଲକୁଣ୍ଢି ଅଂଚଳରେ ରହୁଥିବା ଦାଶରଥି ନାଏକଙ୍କ ରିପୋର୍ଟ ଅନୁଯାୟୀ ଗତ ୨୦ ତାରିଖରେ ବେଲକୁଣ୍ଢି ସ୍ଥିତ ବାସଭବନରୁ ତାଙ୍କ ହିରୋହଣ୍ଡା ଡିଲକ୍ସ ମୋଟରସାଇକେଲ(ଜେଏଚ୍୦୬ଏନ-୪୬୬୭) ଚୋରି ହେବାନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବଡ଼ବିଲ ପୁଲିସ ୧୭୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୁଲିସର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ଅଂଚଳରେ ଛାନଭିନ କରିଥିଲା। ଚୋରି ହୋଇଥିବା ବାଇକ(ଜେଏଚ୍୦୬ଏନ-୪୬୬୭)କୁ ଉଦ୍ଧାର କରାଯାଇଥିଲା। ଘଟଣାରେ ସଂପୃକ୍ତ ଜଣେ ବାଇକ ଚୋର, ମନୋଜ ରାଜପୁତ(୨୫ବର୍ଷ)କୁ ପୁଲିସ ଗିରଫ କରିଥିବାବେଳେ, ଚୋରି ବାଇକ କିଣିବା ଅଭିଯୋଗରେ ଲକ୍ଷ୍ମଣ ପାତ୍ର(୩୧ବର୍ଷ)କୁ ମଧ୍ୟ ପୁଲିସ ଗିରଫ କରିଥିଲା। ମନୋଜର ଘର ୧୦ ନମ୍ବର ୱାର୍ଡ ଗାଢାହଟିଂ ଅଂଚଳରେ ହୋଇଥିବାବେଳେ ଲକ୍ଷ୍ମଣର ଘର ଭୋଳାଗ୍ୟାରେଜ୍ ଅଂଚଳରେ ବୋଲି ଜଣାଯାଇଛି। ଗିରଫ ସମସ୍ତ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ। ଗାଡିର କାଗଜପତ୍ର ଯାଞ୍ଚ ପରେ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର