ଶୁଆକାଟି ଗଦ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିର ଅର୍ଥ ତୋଷାରପାତ ଅଭିଯୋଗ: ବାଂଶପାଳ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୪ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା‌ ଶୁଆକାଟି ଗଦ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଏବଂ କୋପରେଟିଭ ସୋସାଇଟିର ଅର୍ଥ ତୋଷାରପାତ ଅଭିଯୋଗରେ ବାଂଶପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବାବୁଲି ପଲେଇଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତିମାନେ ହେଲେ ବାବୁଲି ପଲେଇ, ରଂଜିତ ବାରିକ, ଲକ୍ଷ୍ମଣ ବାରିକ ଓ ପ୍ରହଲ୍ଲାଦ ବାରିକ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁଆକାଟି ଓଏମସି ଖଣିରେ ଗଦ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଓ କୋପରେଟିଭ ସୋସାଇଟି ବିଭିନ୍ନ ପ୍ରକାର କାମ କରିଥାଏ। ଏହି କାମରେ ଶୁଆକାଟି ଏବଂ ଏହାର ଆଖପାଖ କିଛି ପଞ୍ଚାୟତର ଶ୍ରମିକମାନେ ନିୟୋଜିତ ହୋଇଥାଆନ୍ତି। ବର୍ତ୍ତମାନ ଏହି ଏହି ଲୋଡିଂ ଏଜେନ୍ସିର ନିର୍ବାଚନ ହୋଇ ନଥିବାରୁ ଏହା କେନ୍ଦୁଝର କୋପରେଟିଭ ସୋସାଇଟି ଅଧୀନରେ କାର୍ଯ୍ୟ କରୁଛି। ସଂପାଦକ ଦାୟିତ୍ବରେ ଜଣେ କିରାଣି ଉତ୍କଳ ଦାସ ଏହି ସଂସ୍ଥାର ଦାୟିତ୍ବ ବୁଝୁଛନ୍ତି। ଓଏମ୍‌ସି ତରଫରୁ ଶ୍ରମିକଙ୍କ ପିଛା ପ୍ରତିମାସ ୨ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ଚଳିତ ମାସ ପାଖାପାଖି ୧୨୦୦ ଶ୍ରମିକଙ୍କ ମଜୁରି ପ୍ରଦାନ କରାଯାଇଛି। ତେବେ ବାଂଶପାଳ ବ୍ଲକ ଉପାଧ୍ୟକ୍ଷ ବାବୁଲି ପଲେଇ, ରଂଜିତ ବାରିକ, ଲକ୍ଷ୍ମଣ ବାରିକ, ପ୍ରହଲ୍ଲାଦ ବାରିକ ଏବଂ ଗଦ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିର ଆଉ କିଛି ସଦସ୍ୟ ସୋସାଇଟି କାର୍ଯ୍ୟାଳୟରେ ପହଞ୍ଚି ଆହୁରି ଅନେକ ଶ୍ରମିକଙ୍କ ମଜୁରି ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ କରିବା ସହ କିଛି ଶ୍ରମିକଙ୍କ ତାଲିକା ଦେଇ ଅଧିକା ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରି ହୋହଲ୍ଲା କରିଥିଲେ।

କିରାଣି ଉତ୍କଳ ଦାସ ଚାପରେ ପଡ଼ି ବାଧ୍ୟ ହୋଇ ଲକ୍ଷ୍ମଣ ବାରିକ, ବିଜୟ କୁମାର ମହାରଣା, ବାବୁଲି ପଲେଇ ଓ ପ୍ରହଲ୍ଲାଦ ବାରିକଙ୍କ ନାମରେ ସାଢେ ୭ ଲକ୍ଷ ଟଙ୍କା ଲେଖାଏଁ ୪ଟି ଚେକ୍‌ କାଟିଥିଲେ। ସଂପୃକ୍ତ ବ୍ୟକ୍ତିମାନେ ଚେକ୍‌ ନେଇ ଚାଲିଯିବା ପରେ ଶ୍ରୀ ଦାସ ଉଚ୍ଚ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରିଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ସେ ଶୁଆକାଟୀ ଫାଣ୍ଡିରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଗତକାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବାବୁଲି ପଲେଇ, ରଂଜିତ ବାରିକ, ଲକ୍ଷ୍ମଣ ବାରିକ ଓ ପ୍ରହଲ୍ଲାଦ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର