ଭଦ୍ରକ : ଆମ ବ୍ୟକ୍ତି ଚରିତ୍ର ଏମିତି। ଜରିମାନା କିମ୍ବା ପୁଲିସ ତାଗିଦ୍, କିଛି ବି ଫରକ ପଡୁନି। 'କରୋନା' ଭୂତାଣୁର ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଭଦ୍ରକରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ବଜାରରେ ବେଲଗାମ ଭିଡ଼ ସାଙ୍ଗକୁ ସବୁ କଟକଣାକୁ ବେଖାତିର କରୁଛନ୍ତି ସାଧାରଣ ଜନତା। ଆଜି ବଜାରରେ ବାଇକ୍ ଧରି ବୁଲୁଥିବା ୪ ଜଣ ଯୁବକଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଗାଡ଼ି ଜବତ କରିଛି। ସୂଚନା ଅନୁସାରେ, କଡ଼ା କଟକଣା ସତ୍ତ୍ବେ କାହିଁକି ବାହାରକୁ ଆସିଥିଲେ ବୋଲି ପୁଲିସ ପଚାରିବାରୁ ଏହି ଯୁବକମାନେ ଥାଥାମାମା ହୋଇଥିଲେ। କିଛି ଉତ୍ତର ଦେଇ ପାରିନଥିଲେ। ଅନ୍ୟପକ୍ଷରେ ନିୟମ ଭଙ୍ଗ କାରଣରୁ ଏ ଯାବତ ପୁଲିସ ୧୨ ଜଣଙ୍କୁ ଗିରଫ କରିସାରିଲାଣି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାମାଜିକ ମିଳାମିଶାରୁ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ ସାରା ଜିଲ୍ଲାରେ କଡ଼ା କଟକଣା ମଧ୍ୟ ଲାଗୁ ହୋଇଛି। ଘରୁ ଯେମିତି କେହି ପଦାକୁ ନ ବାହାରନ୍ତି, ସେଥିପାଇଁ ପୁଲିସ ସବୁଠି ବ୍ଲକିଂ, ଚେକିଂ କରୁଛି। ହେଲେ ଏହାର ସାମାନ୍ୟତମ ପ୍ରଭାବ ପଡ଼ୁନି ଲୋକଙ୍କ ଉପରେ। ବୁଧବାର ସକାଳେ ଭଦ୍ରକରେ ବିଭିନ୍ନ ଦୋକାନ ବଜାର ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିଥିଲା। ଆଉ ସଉଦାପତ୍ର କିଣାକିଣି ପାଇଁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ପୁଲିସ ସମ୍ମୁଖରେ ଲୋକମାନେ ଏଭଳି ଭିଡ଼ ଜମାଇଥିଲେ ବି କାହାର ନଥିଲା ପ୍ରତିକ୍ରିୟା। ଏଭଳି ପରିସ୍ଥିତିରେ କରୋନା ମୁକାବିଲା ପାଇଁ ସରକାର ନେଉଥିବା ପଦକ୍ଷେପ ସଫଳ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କରୋନା କଟକଣାକୁ ବେଖାତିର କରି ଭଦ୍ରକରେ ୪ ବାଇକ୍ ଚାଳକ ଗିରଫ
/sambad/media/post_attachments/wp-content/uploads/2019/12/arrest-ff.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)