ଭୁବନେଶ୍ୱର: ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ୪ଟି ବିଲ୍‌ ପାରିତ ହୋଇଛି। ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍‌, ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍‌ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍‌ ପାରିତ ହୋଇଛି। ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।

Advertisment

ଗୃହ ମୁଲତବି ହେବା ପୂର୍ବରୁ ଗୃହରେ ଆଜି ବିରୋଧୀ ଦଳର ନେତାମାନେ ପୁଣି ଥରେ ବାଚସ୍ପତିଙ୍କ ଚାମ୍ବରକୁ ଘେରିଥିଲେ। ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଇ ନଥିଲେ। ବିରୋଧୀଙ୍କ ଘେରାଉ ଯୋଗୁଁ ବାଚସ୍ପତି ଗୃହକୁ ଆସିପାରି ନ ଥିଲେ। ଫଳରେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତିଙ୍କୁ ଗୃହ ପରିଚାଳନା କରିବାକୁ ପଡ଼ିଥିଲା। ବିରୋଧୀ ଦଳମାନେ ବାଚସ୍ପତିଙ୍କ ପୋଡିୟମ ଉପରେ ହୋହଲ୍ଲା କରିଥିଲେ। ଏହାରି ଭିତରେ ଗୃହରେ ରିପୋର୍ଟ ଉପସ୍ଥାପନ ଓ ବିଲ ପାରିତ ହୋଇଛି।

publive-image

ଆଜି ସକାଳେ ଖଣି ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବାରୁ ହଙ୍ଗାମା ହୋଇଥିଲା। ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ ହୋହାଲା କରିଥିଲେ କଂଗ୍ରେସ ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ। ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।