ବିଜେଡିର ୪ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ବର : ଏପ୍ରିଲ ୨ରେ ଓଡ଼ିଶାର ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୁବାସ ସିଂହ, ମୁନା ଖାନ୍, ସୁଜିତ୍ କୁମାର ଓ ମମତା ମହାନ୍ତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାଶରଥୀ ଶତପଥୀ ବିଜୟୀ ଘୋଷଣା କରିଛନ୍ତି। ସେମାନେ ଆଜି ବିଧିବଦ୍ଧ ଭାବେ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି। ଆସନ୍ତା ଏପ୍ରିଲ ୩ ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ସେମାନେ ଶପଥ ନେବେ ବୋଲି ସୂଚନା ମିଳିଛି।

ଏହି ଚାରି ଜଣଙ୍କ ବାଦ୍‌ ଅନ୍ୟ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଆବଶ୍ୟକ ସଂଖ୍ୟକ ସମର୍ଥକ ଓ ପ୍ରସ୍ତାବକ ନ ଥିବାରୁ ସେମାନଙ୍କର ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ସୂଚନାଯୋଗ୍ୟ ‌ଯେ ଏପ୍ରିଲ୍‌ ୨ରେ ଓଡ଼ିଶାରୁ ତିନିଟି ରାଜ୍ୟସଭା ଆସନ ଖାଲି ହେଉଛି। ବିଜେଡିର ନରେନ୍ଦ୍ର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମ, କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ସହ ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନଟି ପୂର୍ବରୁ ଖାଲି ପଡ଼ିଥିଲା। ଆବଶ୍ୟକ ସଂଖ୍ୟା ଅଭାବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିଲେ। ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। ପ୍ରତିଦ୍ବନ୍ଦ୍ବୀ ନ ଥିବାରୁ ଆଉ ଭୋଟ୍‌ ଗ୍ରହଣର ଆବଶ୍ୟକତା ପଡ଼ି ନାହିଁ।

ସମ୍ବନ୍ଧିତ ଖବର