ଭୁବନେଶ୍ବର : ସଫଳ ଲେଖକମାନଙ୍କ ଜୀବନୀ ପଢ଼ିବା ବେଳେ ଅନୁଭବ ହୁଏ, ଅଧିକାଂଶ ସଫଳ ଲେଖକ ଦାରିଦ୍ର୍ୟ ଭିତରୁ ଆସିଛନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଛାଡ଼ିଦେଲେ, ଅଧିକାଂଶ ସମୟ‌ରେ ଦାରିଦ୍ର୍ୟକୁ ଅନୁଭବ କରିଥିବା ଲୋକ ହିଁ ଜୀବନକୁ ଅଧିକ ଗଭୀର ଭାବେ ବୁଝିଥିବା ମନେ ହୁଏ। ପ୍ରାଚୁର୍ଯ୍ୟ ଓ ଦାରିଦ୍ରୢ ସହ ସଫଳ ଲେଖକର କ’ଣ ସମ୍ପର୍କ ରହିଛି ତାହା ବେଳେବେଳେ ମନରେ ପ୍ରଶ୍ନ ସୃଷ୍ଟି କରେ। ଯେଉଁମାନେ ଗରିବ ଘରେ ଜନ୍ମ ହୋଇଛନ୍ତି ବୋଲି ଭାଗ୍ୟକୁ ବାରମ୍ବାର ନିନ୍ଦନ୍ତି, ନିଜର ଅତୀତକୁ ଯେଉଁମାନେ ଅଧିକ ପରିମାଣରେ ସଚେତନ ହୋଇ ମନେ ପକାନ୍ତି; ହୁଏତ ପ୍ରାଚୁର୍ଯ୍ୟ ଥିଲେ ଏଭଳି ସମ୍ଭାବନାଠାରୁ ବହୁ ଦୂରକୁ ଚାଲିଯାଇଥା’ନ୍ତେ। ଶନିବାର ଦିନ ‘ସମ୍ବାଦ ଭବନ’ ପରିସରରେ ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ ଏକକାଳୀନ ୪ଟି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସାମ୍ବାଦିକତା ହେଉଛି ତରବରିଆ ଭାବେ ଲେଖାଯାଉଥିବା ସାହିତ୍ୟ। ବଡ଼ ବଡ଼ ସାହିତ୍ୟିକମାନେ ସାମ୍ବାଦିକମାନଙ୍କୁ ବିଶେଷ ପସନ୍ଦ କରୁନଥିବା ବେଳେ ସାହିତ୍ୟ ଓ ସାମ୍ବାଦିକତା ପରସ୍ପରକୁ କେତେ ପ୍ରଭାବିତ କରନ୍ତି, ସେ ନେଇ ମୋ ମନରେ ପ୍ରଶ୍ନ ରହିଛି। ଏହି ଅବସରରେ ସେ ଲେଖକ ଗୌରହରି ଦା‌ସଙ୍କ ଉଦାହରଣ ରଖି କହିଥିଲେ, ଶ୍ରୀ ଦାସ ସାମ୍ବାଦିକତାକୁ ଚୟନ ନ କରି ଅଧ୍ୟାପନାକୁ ବୃତ୍ତି ଭାବେ ଚୟନ କରିଥିଲେ ସେ କେତେ ସଫଳ ହୋଇଥା’ନ୍ତେ? ସାମ୍ବାଦିକତାକୁ ବାଛି ଶ୍ରୀ ଦାସଙ୍କ ସାହିତ୍ୟର ବିଶେଷ ଅଭିବୃଦ୍ଧି ହୋଇଛି କି ରାଜନୀତିଆ ହୋଇଯାଇଛି? ତାଙ୍କ ସାହିତ୍ୟର ରୁଚି ସମ୍ବାଦପତ୍ରକୁ କେତେ ମାତ୍ରାରେ ପ୍ରବେଶ କରିଛି ନା ତାଙ୍କ ସାହିତ୍ୟ ମନୋବୃତ୍ତି ତାଙ୍କ ସାମ୍ବାଦିକତାକୁ ପ୍ରଭାବିତ କରିଛି; ତାହା ଅନୁଧ୍ୟାନ କରିବା ସମୟ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କର୍ମ ନିଜ ହାତରେ ବୃତ୍ତି ଅନ୍ୟ ହାତରେ: ଅନନ୍ତ ମହାପାତ୍ର

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ମହାପାତ୍ର କହିଥିଲେ, ଗୌରହରି ଦାସ; ନିଶ୍ଚିତ ଭାବେ ‘ଦାସ’ ନୁହନ୍ତି। ନଚେତ ଏତେ ସଂଖ୍ୟାରେ ଗପ, କବିତା, ନାଟକ ଓ ଉପନ୍ୟାସ ସେ ଲେଖିପାରନ୍ତେ ନାହିଁ। ସେ ନିଶ୍ଚିତ ଭାବେ ଜଣେ ସାମନ୍ତ। କୁଳ, କର୍ମ ଓ ବୃତ୍ତି; ଏହି ତିନିଟି ଭିତରୁ କେଉଁ କୁଳରେ ଆମେ ଜନ୍ମ ହେବା, ତାହା ଆମ ହାତରେ ନଥାଏ। କର୍ମ ନିଜ ହାତରେ ଓ ବୃତ୍ତି ଅନ୍ୟମାନଙ୍କ ହାତରେ ଥାଏ ବୋଲି କହିଥିଲେ ଶ୍ରୀ ମହାପାତ୍ର।

publive-image

ଆଜିର ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପେନ୍‌ଇନ୍‌ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଶ୍ରୀ ଦାସଙ୍କର ୨ଟି ନାଟକ ‘ଆମ ଘରର ନକ୍‌ସା’ ଓ ‘ଅହଲ୍ୟାର ବାହାଘର’ ସମେତ ଏଥେନା ବୁକ୍‌ସ୍‌ ପକ୍ଷରୁ ପ୍ରକାଶିତ ଆଲୋଚନା ପୁସ୍ତକ ‘ଆଉ କିଛି କଥା’ ଏବଂ ବିଦ୍ୟାପୁରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଉପନ୍ୟାସ ‘ସାରାଂଶ’ ଉନ୍ମୋଚିତ ହୋଇଥିଲା। ଶ୍ରୀ ଦାସଙ୍କ ବହୁଚର୍ଚ୍ଚିତ ନାଟକ ‘ଅହଲ୍ୟାର ବାହାଘର’ ବହୁ ପୂର୍ବରୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିରଦ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରର ରୂପ ନେଇ ଦର୍ଶକଙ୍କ ଦ୍ବାରା ଆଦୃତ ହୋଇ ସାରିଥିବ‌ାବେଳେ ଏବେ ଏହା ପୁସ୍ତକ ଭାବେ ପ୍ରକାଶ ପାଇଛି। ସେହିପରି ଶ୍ରୀ ଦାସ ବିଭିନ୍ନ ସଭାସମିତିରେ ପ୍ରଦାନ କରିଥିବା ସାରଗର୍ଭକ ଭାଷଣ, ନିଜ ଗାଁ ଓ ଜନ୍ମମାଟିର କିଛି ସ୍ମୃତିଚିତ୍ର ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ପରେ ତାଙ୍କ ସ୍ମୃତିଚାରଣ କରି ଶ୍ରୀ ଦାସ ବିଭିନ୍ନ ପତ୍ରପତ୍ରିକାରେ ଲେଖିଥିବା ଶ୍ରଦ୍ଧାର୍ଘ୍ୟଗୁଡ଼ିକୁ ନେଇ ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି ‘ଆଉ କିଛି କଥା’।

ଏହି ଅବସରରେ ଲେଖକୀୟ ବକ୍ତବ୍ୟ ରଖି ଶ୍ରୀ ଦାସ କହିଥିଲେ, ସାହିତ୍ୟ ମୋତେ ଜୀବନରେ ଦୁଇଟି କଥା ଶିଖାଇଛି। ପ୍ରଥମଟି ହେଉଛି, ସାହିତ୍ୟ ହେଉଛି ମୋର ଏହି ସାମାଜିକ ବ୍ୟବସ୍ଥା ଉପରେ ହସ୍ତକ୍ଷେପ। ସାଂସ୍କୃତିକ, ରାଜନୈତିକ ଓ ଆବେଗିକ ସବୁ ପ୍ରକାର ହସ୍ତକ୍ଷେପ। ଯାହା ମୁଁ କରିପାରିନାହିଁ ତାହା ମୁଁ କ୍ଷତିପୂରଣ ଭାବେ ଲେଖିବାକୁ ଚାହେଁ। ଏଥିସହ ସାହିତ୍ୟ ମୋତେ ଶିଖାଇଛି, ଜୀବନ ଯେତେବେଳେ ଶହେଟି କାରଣ ଦିଏ କାନ୍ଦିବାକୁ ଜୀବନକୁ ଶହେ ଏକଟି କାରଣ ଦେଖାଅ ହସିବାର। ତେବେ ଯାଇ ଜୀବନକୁ ବଞ୍ଚି ହେବ ବୋଲି ଶ୍ରୀ ଦାସ କହିଥିଲେ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବହୁ ବିଶିଷ୍ଟ ସାହିତ୍ୟିକମାନେ ଯୋଗ ଦେଇଥିଲେ। ବିଶିଷ୍ଟ ଲେଖକ ଦାଶ ବେନହୁର, ବିଶିଷ୍ଟ ସ୍ତମ୍ଭକାର ଓ ସଂସ୍କୃତି ଗବେଷକ ଅସିତ ମହାନ୍ତି, ପ୍ରଫେସର ବିଜୟ କୁମାର ଶତପଥୀ, ଡ. ଅରବିନ୍ଦ ରାୟ, ବିଜୟାନନ୍ଦ ସିଂହ, ପ୍ରଫେସର ଯତୀନ୍ଦ୍ର ନାୟକ, ସଂଗ୍ରାମ ଜେନା, ଡ. ଗୌରାଙ୍ଗ ଚରଣ ରାଉତ, ରାଜବର୍ଦ୍ଧନ ଧଳମହାପାତ୍ର, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, କ୍ଷୀରୋଦ ଦାସ, ସବିତା ମହାନ୍ତି ଓ ଅହଲ୍ୟା ନାଟକର ଚର୍ଚ୍ଚିତା ନାୟିକା ସମିତାରାଣୀ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ରହିଥିଲେ। ଏହି ଅବସରରେ ପୁସ୍ତକ ୪ଟିର ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା, ରାଜକିଶୋର ଦାସ ଓ ଜୀବାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ଉପାଦେୟ ପୁସ୍ତକ ପ୍ରକାଶନର ସୁଯୋଗ ପାଇଥିବାରୁ ଧନ୍ୟବାଦ ଦେଇଥିଲେ। ଶେଷରେ ‘ପକ୍ଷୀଘର ପ୍ରକାଶନୀ’ର ପ୍ରକାଶକ ବନୋଜ ତ୍ରିପାଠୀ ଧନ୍ୟବ‌ାଦ ଜଣାଇଥିଲେ।