ରାୟଗଡ଼ା: ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର ୪ ଖଣ୍ଡ ଗାଁର ଚିତ୍ର ବଦଳି ପାରୁନି। ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଗ୍ରାମବାସୀ ନାହିଁନଥିବା ଅସୁବିଧାରେ ଜୀବନ ବିତାଉଛନ୍ତି। ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଝରଣା ଓ ନାଳର ଗୋଳିଆ ପାଣିରେ ମେଣ୍ଟୁଛି ଶୋଷ। ସୀମାନ୍ତ ଗାଁର ବିକାଶକୁ ସରକାର ଫୋକସ୍‌ କରୁଥିବା ବେଳେ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପଛରେ ପଡ଼ିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଗୋଗୁପାଡ଼ୁ ପଞ୍ଚାୟତର ଲାଉଗୁଡ଼ା, ବଡ଼ଗୁଡ଼ା, ଖପିରିଗୁଡ଼ା ଓ ଆମ୍ବଗୁଡ଼ା।

Advertisment

ଗୋଗୁପାଡ଼ୁ ପଞ୍ଚାୟତର ଲାଉଗୁଡ଼ା, ବଡ଼ଗୁଡ଼ା, ଖପିରିଗୁଡ଼ା ଓ ଆମ୍ବଗୁଡ଼ା ଗ୍ରାମ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲ୍ଲା ସୀମାନ୍ତରେ ଅବସ୍ଥିତ। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ଚଳ ପ୍ରଚଳ ରହିଥିଲା। ମାଓ ଭୟରେ ସରକାରୀ ବାବୁ କିମ୍ବା କୌଣସି ରାଜନେତାଙ୍କ ପାଦ ଏହି ଅଞ୍ଚଳରେ ପଡ଼ୁନଥିଲା। ମାଓ ଭୟ ଦୂର ହେବା ପରେ ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଘଟିଛି। କିନ୍ତୁ ବଦଳି ପାରିନି ଗାଁ ବିକାଶର ଚିତ୍ର। ୪ ଖଣ୍ଡ ଗାଁରେ ୨୦୦ରୁ ଊର୍ଦ୍ଧ୍ବ  ପରିବାର ବସବାସ କରୁଛନ୍ତି। ସୁଲୁଡ଼ି ଛକରୁ ବଡ଼ଗୁଡ଼ା ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ୪ ଗ୍ରାମବାସୀ ନିର୍ଭର କରୁଛନ୍ତି। ହେଲେ ସାମାନ୍ୟ ବର୍ଷାରେ ରାସ୍ତା କାଦୁଅ ପଚପଚ ହୋଇ ପଡ଼ୁଥିବାରୁ ନାହିଁନଥିବା ଅସୁବିଧାର ସମୁଖୀନ ଭୋଗୁଛନ୍ତି ଗ୍ରାମବାସୀ। ଜରୁରି ସମୟରେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ଆସି ପାରୁନି। ଫଳରେ ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଛି। ପକ୍କା ରାସ୍ତା ପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଅଥଚ ସୁଫଳ ମିଳୁନି। ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମରେ ଥିବା ନଳକୂପ ଏକ ମାତ୍ର ଭରସା। ନଳକୂପ ଅଚଳ ହେଲେ ଝରଣା ଓ ନାଳର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ଜୀବନ ଜୀବିକାଠୁ ଆରମ୍ଭ କରି ପ୍ରାୟ ସମସ୍ତ କ୍ଷେତ୍ରରେ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ ଥିବାରୁ କେତେବେଳେ ଆନ୍ଧ୍ର ଆଧିପତ୍ୟ ଜାରି କରିବ ତାହା କହିହେବ ନାହିଁ।  ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ କହିଛନ୍ତି, ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନର ଫୋକସ ରହିଛି। ଖୁବ୍‌ଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ଆରମ୍ଭ ହେବ। ମୌଳିକ ସୁବିଧା ସୁଯୋଗ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। 

ତେବେ ବିକାଶ ସ୍ରୋତରେ ସାମିଲ ହେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଗ୍ରାମବାସୀଙ୍କୁ କେବଳ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହେବାକୁ ପଡୁଥିବାରୁ ଆଉ କେ‌ତେ ସମୟ ଦରକାର ବୋଲି ପ୍ରଶ୍ନ କରିଛନ୍ତି ବଡ଼ଗୁଡ଼ା ଗ୍ରାମର ଟୁନା ବିଡ଼ିକା, ହରପ୍ରିୟା ନିମାଲା, ଜୟନ୍ତୀ ଶବର, ଶିବ ବିଡ଼ିକା, ଲାଉଗୁଡ଼ା ଗ୍ରାମର ଜସ୍ମିନ୍‌ ଶବର। ଜୀବନ ଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ।