ଗିରଫ ଦାବିରେ ରାଜପଥ ଅବରୋଧ
ଜିଲ୍ଲାପାଳ ଓ ଏସ୍ପି ବୁଝାଇ ନିରାଶ
ପୁଲିସ କବ୍ଜାରେ ମାଷ୍ଟରମାଇଣ୍ଡ୍!
ଶେରଗଡ଼/ହିଞ୍ଜିଳିକାଟୁ : ସାମାନ୍ୟ ଯୁକ୍ତିତର୍କରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ପିତଳ ଗ୍ରାମ ଛକରେ ଘମାଘୋଟ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଛି। ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ଲୁହାରଡ଼୍ ଓ କାଠଫାଳିଆ ସମେତ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଗୋଟିଏ ପରିବାରର ୪ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଉ ଗାଁ ଛକ ରକ୍ତରଞ୍ଜିତ ହୋଇଯାଇଛି। ଏହି ଘଟଣା ବୁଧବାର ଦିନ ସାରାରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି।
ମୃତକମାନେ ହେଲେ, ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁଙ୍କ ପୁଅ ଶମ୍ଭୁ ସ୍ବାଇଁ (୨୫), ପାଣ୍ଡବ ସ୍ବାଇଁ (୨୩), ରାଜା ସ୍ବାଇଁ (୨୮) ଓ ପୁତୁରା ଚନ୍ଦନ ସ୍ବାଇଁ (୧୬)। ମିଳିଥିବା ସୂଚନାନୁସାରେ, ପିତଳ ଛକରେ ଶମ୍ଭୁଙ୍କ ଏକ ଫାଷ୍ଟଫୁଡ୍ ଦୋକାନ ରହିଛି। ସେଠାରେ ଅନ୍ୟ ୩ ଭାଇ ବି ରହି ଦୋକାନ ଚଳାଉଥିଲେ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ନିକଟ ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଦୋକାନକୁ ଆସିଥିଲା। ସେଠାରେ କୌଣସି କାରଣକୁ ଚାରିଭାଇଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା। ଏଥିରେ ସେ ଉତ୍କ୍ଷିପ୍ତ ହୋଇ ଉଠିବା ସହ ତା’ର ୧୦ରୁ ୧୫ ଜଣ ସହଯୋଗୀଙ୍କୁ ଡକାଇଥିଲା। ଶମ୍ଭୁ ଓ ତାଙ୍କ ଭାଇମାନେ ଦୋକାନ ବନ୍ଦ କରି ଘରକୁ ଯିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ସେମାନେ ତାଙ୍କୁ ଅତର୍କିତ ଭାବେ ଲୁହାରଡ଼୍, କାଠଫାଳିଆ ଓ ବାଉଁଶରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଏତେ ରକ୍ତମୁଖା ହୋଇ ଉଠିଥିଲେ ଯେ ମରିବା ପର୍ଯ୍ୟନ୍ତ ସେମାନଙ୍କୁ ଅତି ଅମାନୁଷିକ ଭାବେ ପିଟି ଚାଲିଥିଲେ। ବର୍ବରତାର ସବୁ ସୀମା ଯେମିତି ଟପିଯାଇଥିଲେ। ଫଳରେ ଶମ୍ଭୁ, ପାଣ୍ଡବ ଓ ରାଜା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଆକ୍ରମଣକାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଚନ୍ଦନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ସେ ବି ରାସ୍ତାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ପୁଲିସ ସମସ୍ତଙ୍କ ଶବକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲା।
ଏହି ଘଟଣା ପରେ ପିତଳ ଗ୍ରାମ ସ୍ତବ୍ଧ ପାଲଟି ଯାଇଥିଲା। ସକାଳୁ ସକାଳୁ ଗାଁ ମୁଖ୍ୟରାସ୍ତାରେ ରକ୍ତ ପାଣି ଭଳି ବୋହୁଥିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି କାଠଫାଳିଆ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ଏହାପରେ ନରେନ୍ଦ୍ରପୁର, କୀର୍ତ୍ତିପୁର ଓ ପିତଳ ଗ୍ରାମବାସୀ ଏକାଠି ହୋଇ ଟାୟାର୍ ଜାଳି ବ୍ରହ୍ମପୁର-ଆସିକା ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ ଜାରି ରଖିଛନ୍ତି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା, ଅତିରିକ୍ତ ଏସ୍ପି ପି.କେ.ଦଳାଇ, ଆସିକା ଏସଡିପିଓ଼ ଉମାଶଙ୍କର ସିଂହଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ପହଞ୍ଚିଥିଲେ। ଖବର ମିଳିବା ସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇ ନଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍.ପି.ବ୍ରିଜେଶ କୁମାର ରାୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ହେଲେ, ‘ସମସ୍ତଙ୍କୁ ଗିରଫ କର, ନଚେତ୍ ଆମେ ସମସ୍ତଙ୍କୁ ମାରି ପ୍ରତିଶୋଧ ନେବୁ’ ...‘ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ମିଳୁ। ନହେଲେ ରାସ୍ତା ଅବରୋଧ ହଟିବନି’ ବୋଲି ଲୋକେ କହିଛନ୍ତି। ଫଳରେ, ଜିଲ୍ଲାପାଳ ଓ ଏସ୍ପି ନିରାଶ ହୋଇ ଫେରିଛନ୍ତି। ତେବେ ରାତି ୮.୩୦ ବେଳେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏନେଇ ହିଞ୍ଜିଳିକାଟୁ ଥାନାରେ କେସ୍ ନମ୍ବର ୧୪୧ ଅନୁସାରେ ଏକ ମାମଲା ରୁଜୁ ସହ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି। ଜଣେ ଯୁବକ ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ସେହିପରି ମାଷ୍ଟରମାଇଣ୍ଡ୍ ମଧ୍ୟ ପୁଲିସ ଜାଲରେ ପଡ଼ିଛି। ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ganjam-murder.jpg)