ହୃଦୟବିଦାରକ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଖଇରଛଟା ଗ୍ରାମରେ ଜିଅନ୍ତା ଜଳିଗଲେ ୪ ଶିଶୁ

ଭାଡ଼ି ଘର ଖେଳ ହେଲା କାଳ

ଖଇରଛଟା ଗାଁରେ ଶୋକର ଛାୟା
ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ସହାୟତା

ପୋଲସରା/ବ୍ରହ୍ମପୁର/କଟକ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଖଇରଛଟା ଗ୍ରାମରେ ଘଟିଛି ଅତ୍ୟନ୍ତ ହୃଦୟବିଦାରକ ଘଟଣା। ଏକ ଅର୍ଦ୍ଧନିର୍ମିତ ପାଇଖାନା ଘର ଭିତରେ ପାଳରେ ଭାଡ଼ି ଘର କରି କେତେଜଣ ଶିଶୁ ଖେଳୁଥିବା ସମୟରେ ଅଚାନକ ନିଆଁ ଲାଗିଯିବାରୁ ଏଥିରେ ୪ଜଣ ଜିଅନ୍ତା ଜଳି ଯାଇ ପ୍ରାଣ ହରାଇଛନ୍ତି। ମୃତ ଶିଶୁମାନେ ହେଲେ ଇତିଶ୍ରୀ ଜେନା (୫), ସାଇରାମ ଜାନି (୪) ଓ ଦୀପକ ଗୌଡ଼ (୮) ଓ ଆଲୋକ ଜେନା(୫)। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଦୀପକ, ସାଇରାମ ଓ ଇତିଶ୍ରୀଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ସଂକଟାପନ୍ନ ଅବସ୍ଥାରେ ଏସ୍‌ସିବି ପଠାଯାଇଥିବା ଆଲୋକ ମଧ୍ୟ ରାତି ପ୍ରାୟ ସାଢ଼େ ୮ଟାରେ ଆଖି ବୁଜିଛି। ଏହି ଅଘଟଣ ପୋଲସରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଥିବାବେଳେ ଖଇରାଛଟା ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଛି। ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତିନି ଶିଶୁଙ୍କ ଜୁଇ ଏକାଠି ଜଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ମୃତ ଶିଶୁଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ପୋଲସରା ସହରଠାରୁ ୭କିମି ଦୂର ମାଳତେନ୍ତୁଳିଆ ପଞ୍ଚାୟତର ଖଇରଛଟା ଗାଁ। ଗ୍ରାମରେ ରହିଥିବା ଅମରେଶ୍ବର ଶିବ ମନ୍ଦିର ନିକଟ ତଥା ଗୌଡ଼ସମାଜ କୋଠଘର ପଛପଟରେ ଏକ ନିର୍ମାଣାଧୀନ ପାଇଖାନା ଘର ରହିଛି। ଏଥିରେ ଛାତ ପଡ଼ିନାହିଁ। ଗତ ୪/୫ଦିନ ହେଲା ଗ୍ରାମର କିଛି ଛୋଟ ପିଲା ଏହି ଅର୍ଦ୍ଧନିର୍ମିତ ପାଇଖାନାରେ ବାଉଁଶ ଓ ପାଳ ଭାଡ଼ି ଘର କରିଥିଲେ। ଆଉ ଏକ କୁକୁର ଛୁଆକୁ ନେଇ ଖେଳୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ସକାଳ ସାଢ଼େ ୮ଟାରୁ ୯ଟା ମଧ୍ୟରେ ୫ରୁ ୬ ଜଣ ଶିଶୁ ସେଠାରେ ଖେଳୁଥିଲେ। ଏହି ସମୟରେ ହଠାତ୍ ‌ପାଳରେ ନିଆଁ ଲାଗିଯାଇଥିଲା। ଅନ୍ୟମାନେ ଦୌଡ଼ି ପଳାଇଥିବା ବେଳ‌େ ସନ୍ତୋଷ ଜାନିଙ୍କ ପୁଅ ସାଇରାମ, ଜୟରାମ ଗୌଡ଼ଙ୍କ ପୁଅ ଦୀପକ, ତୋଫାନଙ୍କ ଝିଅ ଇତିଶ୍ରୀ ଓ ତାଙ୍କ ପୁତୁରା ତଥା ରତ୍ନାକର ଜେନାଙ୍କ ପୁଅ ଆଲୋକ (୫) ସେଠାରୁ ବାହାରି ପାରି ନଥିଲେ। କିଛି ସମୟ ଧରି ସେଠାରେ ନିଆଁରେ ଜଳିଯିବା ଫଳରେ ସେମାନେ ଆର୍ତ୍ତ ଚିତ୍କାର କରିଥିଲେ। ପାଟି ଶୁଣି ଅମରଶ୍ବେର ମନ୍ଦିର ପୂଜକ ପ୍ରସନ୍ନ କୁମାର ନାହାକ ସେଠାରେ ପହଞ୍ଚିଥିଲେ। ସେହି ଗ୍ରାମର ମିଟୁ ପ୍ରଧାନ ପ୍ରଥମେ ପାଣି ଢ଼ାଳି ସମସ୍ତଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହି ଖବର ବ୍ୟାପିଯିବାରୁ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ ଏବଂ ଗାଁରେ କାନ୍ଦବୋବାଳି ପଡ଼ିଯାଇଥିଲା।

ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଏବ˚ ଏକ ଅଟୋ ସାହାଯ୍ୟରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପୁଣି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁ ବିଭାଗ ପ୍ରଫେସର ସୁନୀଲ କୁମାର ଅଗ୍ରଵାଲ ସଂଗେ ସଂଗେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାୟ ୪୦ ପ୍ରତିଶତ ଜଳି ଯାଇଥିବା ଆଲୋକକୁ ସଂକଟାପନ୍ନ ଅବସ୍ଥାରେ ଥିବା କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ପ୍ରଫେସର ଅଗ୍ରଵାଲ୍ ଗଣମାଧ୍ୟମକୁ କହିଥିଲେ, ନିଷ୍ପାପ ଶିଶୁମାନେ ଯେଭଳି ଜଳିଗଲେ ଏହାଠାରୁ ବଡ଼ ଦୁଃଖଦ ଘଟଣା ଆଉ କିଛି ନାହିଁ। ୩ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଶିଶୁଙ୍କ ଶରୀରର ୪୦ରୁ ୫୦ ପ୍ରତିଶତ ପୋଡ଼ିଯାଇଥିବା ସହ ସେ ସ୍ପଷ୍ଟ ଭାବେ କଥା କହିପାରୁନି। ଅଧିକ ଚିକିତ୍ସା ଲାଗି ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଏଫଏମ୍‌ଟିରେ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଡାକ୍ତରଖାନାରେ ପହଞ୍ଚି ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଏହାସହ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଶିଶୁଙ୍କ ପରିବାରବର୍ଗକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପାଣ୍ତିରେ ୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନି। ପିଲାମାନେ ଖେଳିବା ବେଳ‌େ ଦିଆସିଲି ବ୍ୟବହାର କରିଥିଲେ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି; ଏ ନେଇ ପୁଲିସର ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର