ଗଞ୍ଜାମ : ୨୦୨୦ ବର୍ଷ ଗଞ୍ଜାମ ପାଇଁ ହୋଇପଡ଼ିଛି ଘଟଣା ବହୁଳ। ଗତ ୯ ତାରିଖ ରବିବାର ଗଞ୍ଜାମ ଜିଲ୍ଲା ପାଇଁ ଥିଲା ‘କଳା ରବିବାର ’। ରଙ୍ଗେଇଲୁଣ୍ତା ବ୍ଲକର ମେଣ୍ଡରାଜପୁର ଗାଁରେ ଘଟିଥିଲା ଅଭାବନୀୟ ଘଟଣା। ନିର୍ବନ୍ଧ ଲାଗି ଯାତ୍ରୀଙ୍କୁ ଧରିଯାଉଥିବା ଏକ ବସ୍ ୧୧କେଭି ତାର ସ˚ସ୍ପର୍ଶରେ ଆସିଥିଲା। ଏହି ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଗୁରୁତର ହୋଇଥିଲେ। ଅଦ୍ୟାବଧି କିଛି ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ରବିବାର ଗଞ୍ଜାମ ଲାଗି ଅଶୁଭ ସାବ୍ୟସ୍ତ ହୋଇଛି। ପୋଲସରା ବ୍ଲକ ଖଇରଛଟା ଅର୍ଦ୍ଧନିର୍ମିତ ପାଇଖାନା ଘରେ କେତେ ଜଣ ଶିଶୁ ଖେଳୁଥିବା ଘଟିଛି ଅଘଟଣ। ଅଚାନକ ନିଆଁ ଲାଗିବା କାରଣରୁ ୪ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣା ପରେ ସଭିଏଁ ପଥର ପାଲଟିଯାଇଛନ୍ତି। ନିଷ୍ପାପ ଶିଶୁଙ୍କ ଉପରେ ଦଇବ କାହିଁକି ଦାଉ ସାଧିଲା, ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି।

Advertisment

publive-image

ପୁଅକୁ ଶେଷଥର ପାଇଁ ଦେଖିପାରିଲେନି ବାପା
ମୃତକ ସାଇରାମର ସନ୍ତୋଷ ଜାନି ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସାଇରାମ ମା’ପ୍ରତିମାଙ୍କ ପାଖରେ ରହୁଥିଲା। ପାଖରେ ଆଉ ଏକ ପୁଅ ଶୁଭମ୍ ବି ଅଛି। ହେଲେ ‌ଏତେ ବଡ଼ ଅଘଟଣ ପ୍ରତିମାଙ୍କୁ ‌ଗୋଟିଏ କୋଣକୁ ଠେଲି ଦେଇଛି। ସେପଟେ ବାପା ସନ୍ତୋଷ ଖବର ପାଇଥିଲେ ବି ଆସିପାରିନାହାନ୍ତି। ଆଉ ପୁଅର ମୁହଁକୁ ଶେଷ ଥର ପାଇଁ ଦେଖିପାରିନାହାନ୍ତି। ସାଇରାମ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ବେଳେ ଆଜି ରବିବାର ଯୋଗୁଁ ସେ ଯାଇ ନଥିଲା। ଅନ୍ୟ ପିଲାଙ୍କ ସହ ଭାଡ଼ି ଘର କରି ଖେଳୁଥିଲା। ପୁଅକୁ ବାହୁନି ବାହୁନି ପ୍ରତିମା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କାନ୍ଦୁଥିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଆଖି ପିଛୁଳାକେ ପୁଅ ମୋ’ ପାଖରୁ ଚାଲିଗଲା ବୋଲି କୋହଭରା କଣ୍ଠରେ ପ୍ରତିମା କହିଛନ୍ତି।

ଝିଅ ପଞ୍ଚଭୂତରେ ଲୀନ, ବେଙ୍ଗାଲୁରୁରୁ ଆସୁଛନ୍ତି ବାପାମା’
ତୋଫାନ ଜେନା ଓ ସଞ୍ଜିତାଙ୍କ ଦୁଇ ପୁଅଙ୍କ ପରେ ଏକମାତ୍ର ଝିଅ ଥିଲା ଇତିଶ୍ରୀ। ୩ ପିଲାଙ୍କୁ ସେମାନେ ଜେଜେବାପା ରାଜୁ ଜେନା ଓ ଜେଜେମା’ ରମାଙ୍କ ପାଖରେ ଛାଡ଼ି ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଛନ୍ତି। ଇତିଶ୍ରୀ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ। ହେଲେ ଆଜି ଏଭଳି ଏକ ଛାତିଥରା ଅଘଟଣରେ ତୋଫାନ୍ ଓ ସଞ୍ଜିତା ସେମାନଙ୍କ ଏକ ମାତ୍ର ଝିଅକୁ ହରାଇଛନ୍ତି। ଗୋଟିଏ ପଟେ ଝିଅର ଶବ ପଞ୍ଚଭୂତରେ ଲୀନ ହୋଇସାରିଥିବା ବେଳେ ଅନ୍ୟପଟେ ବାପାମା’ ତାକୁ ଶେଷଥର ପାଇଁ ଦେଖା କରିବାରୁ ବଞ୍ଚିତ ହୋଇଛନ୍ତି। ଖବର ପାଇ ସେମ‌ାନେ ଫେରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନାତୁଣୀଙ୍କୁ ହରାଇ ରାଜୁ ଜେନା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାପାମା’ଆଗରେ କି ଉତ୍ତର ଦେବୁ ବୋଲି ପିଉସୀ ରୁନୁ କହନ୍ତି।

ତିନି ଭଉଣୀରେ ଗୋଟିଏ ଭାଇ ଥିଲେ ଦୀପକ
ଖଇରଛଟା ଗ୍ରାମର ଜୟରାମ ଗୌଡ଼ଙ୍କ ୩ ଝିଅ ମଧ୍ୟରେ ଏକମାତ୍ର ପୁଅ ଥିଲେ ଦୀପକ। ସେ ଖଇରଛଟା ପ୍ରାଥମିକ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର। ୩ ଝିଅରେ ଗୋଟିଏ ପୁଅ ହୋଇଥିବାରୁ ଅଧିକ ଗେହ୍ଲାରେ ବଢ଼ିଥ‌ିଲେ ଦୀପକ। ଆଜି ରବିବାର ଯୋଗୁଁ ସ୍କୁଲ୍ ଛୁଟି ଥିବାରୁ ଗାଁର ସାଙ୍ଗ ପିଲାଙ୍କ ସହ ଦୀପକ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ବାପା ଜୟରାମ ପୋଲସରା ଯାଇଥିଲେ। ଘର ଲୋକଙ୍କ ଠାରୁ ଖବର ପାଇ ଗାଁରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା। ଗୁରୁତର ଦୀପକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏକମାତ୍ର ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି ଜୟରାମ। ତାଙ୍କ ପାଟିରୁ କଥା ବାହାରୁନି। କେମିତି ନିଆଁ ଲାଗିଲା କିଛି ଜାଣି ନ ଥିବା କହିଛନ୍ତି ଜୟରାମ।

publive-imageସାହସିକତାର ପରିଚୟ ଦେଲେ ମିଟୁ
ଏହି ଦୁଃଖଦ ଘଟଣାରେ ସାହସିକତାର ପରିଚୟ ଦେଇଛନ୍ତି ସେହି ଗ୍ରାମର ମିଟୁ ପ୍ରଧାନ। ସୂଚନା ପାଇ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ଯାଇଥିଲେ ମିଟୁ। ନିଜ ଦେହରେ ପାଣି ଢାଳି ହୁତ୍‌ହୁତ୍ ହୋଇ ଜଳୁଥିବା ୪ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସେହି ଗ୍ରାମର ଶିବ ମନ୍ଦିର ପୂଜକ ପ୍ରସନ୍ନ ନାହାକ, ରଞ୍ଜନ ଗୌଡ଼ ଓ ସୁରେନ୍ଦ୍ର ଗୌଡ ତାଙ୍କୁ ସହଯୋଗ କରିଥିଲେ।