ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଆଜି ଏହି ବୃହତ୍ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏମକେସିଜିର ଏସ୍ଏନ୍ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି ସୋସିଆଲ୍ ମିଡିଆରେ ପୋଷ୍ଟ ହେବାପରେ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଓଡ଼ିଶାରେ କ’ଣ ଅକ୍ସିଜେନର ଏପରି ଅଭାବ ପଡ଼ିଲା ଯେ ୩ ଜଣ ଶିଶୁଙ୍କୁ ସେମାନଙ୍କ ମା’ମାନେ ଠିଆ ହେବା ଅବସ୍ଥାରେ ଗୋଟିଏ ସିଲିଣ୍ଡରରୁ ଆସିଥିବା ପାଇପରୁ ଅକ୍ସିଜେନ୍ ଦେଲେ !
ସୂଚନା ଅନୁସାରେ ଆଜି ଏସ୍ଏନ୍ସିୟୁରେ ୩ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ଶିଶୁମାନଙ୍କର ସାମାନ୍ୟ ହୃଦୟଜନିତ ସମସ୍ୟା ଥିଲା। ତେଣୁ ସେମାନଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତେବେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଦିଆଯାଇଥିଲା। ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବା ବେଳେ, ଶିଶୁମାନଙ୍କୁ ହାତରେ ଧରି ସେମାନଙ୍କର ମା’ମାନେ ପଛପଛେ ଯାଉଥିଲେ।
ଆବଶ୍ୟକ ପଡ଼ିଲେ ଗୋଟିଏ ସିଲିଣ୍ଡରରୁ ଜଣେ ୨ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଇଥାଏ । କିନ୍ତୁ ଗୋଟିଏ ସିଲିଣ୍ଡରରୁ ଥରକେ ୩ ଜଣଙ୍କୁ ଅକ୍ସଜେନ ଦିଆଯିବା ପ୍ରାୟତଃ ଦେଖିବାକୁ ମିଳି ନଥାଏ । କେବଳ ସେତିକି ନୁହେଁ, ଏହା ଏକ ଦୁଃସାହସିକ କାର୍ଯ୍ୟ ମଧ୍ୟ। ନବଜାତମାନଙ୍କୁ ଏପରି ଅକ୍ସିଜେନ୍ ଦେବା କେତେ ସୁରକ୍ଷିତ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ଯାଏଁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିକ୍ରିୟା ମିଳି ପାରିନାହିଁ।