ସୂତୁଲି ବୋମା ଫୁଟି ୪ ଶିଶୁ ଆହତ; ଦେହସାରା ଖଣ୍ଡିଆ, ଜଣଙ୍କ ଆଖି କ୍ଷତିଗ୍ରସ୍ତ

ଅଫୁଟା ବୋମାକୁ ନିଆଁ ଲଗାଇ ଫୁଟାଉଥିଲେ

ଜଗତସିଂହପୁର ଟାଉନ୍ : ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ୍‌ର କନକପୁରରେ ଏକ ଅଭବେନୀୟ ଘଟଣା ଘଟିଛି। ସୂତୁଲି ବୋମା ଫୁଟିବା ଫଳରେ ୪ଜଣ ଶିଶୁ ଆହତ ହୋଇଛନ୍ତି। କାହାର ମୁଣ୍ଡ ତ ଆଉ କାହାର ଆଖି, ହାତ, ଗୋଡ଼ ଖଣ୍ଡିଆ ଖାବରା ହୋଇଛି। ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବାରୁ ସେମାନଙ୍କୁ ସର୍ଜରି ଵାର୍ଡରେ ରଖାଯାଇଛି। ଆସନ୍ତାକାଲି ପରୀକ୍ଷାନିରୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆହତ ଶିଶୁମାନେ ହେଲେ; କନକପୁର ଅଞ୍ଚଳର ବିଷ୍ଣୁ ମହାରଣାଙ୍କ ପୁଅ କାହ୍ନା ମହାରଣା(୧୩) ଓ ସାହିଲ(୪), କୃଷ୍ଣଚନ୍ଦ୍ର ମହାରାଣାଙ୍କ ପୁଅ ଚୁବୁଲୁ ମହାରଣା(୧୨) ଏବଂ ନାରାୟଣ ନାୟକଙ୍କ ପୁଅ ବଳରାମ ନାୟକ(୧୧)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମା’ ଶାରଳାଙ୍କ ଚାପ ଖେଳ ପରେ ରାତିରେ ବାଣ ଫୁଟା ଯାଇଥାଏ। ଗତକାଲି ରାତିରେ ମଧ୍ୟ ଫୁଟିଥିଲା। ସକାଳୁ କାହ୍ନା, ଚୁବୁଲୁ ଓ ବଳରାମ ଖେଳୁଥିବାବେଳେ ସୁତୁଲି ବୋମାଟିଏ ପାଇଥିଲେ। ଏହାକୁ ସାଙ୍ଗରେ ନେଇ ଆସିଥିଲେ। ଅପରାହ୍ନରେ ଫୁଟାଇବେ ବୋଲି ସେମାନେ କଥାବାର୍ତ୍ତା ହୋଇଥିଲେ। ଜାଗୁଳେଇ ମନ୍ଦିର ନିକଟ ରାସ୍ତାରେ ସେମାନେ ପ୍ରଥମେ ସୂତୁଲି ବୋମାରେ ନିଆଁ ଲଗାଇଥିଲେ। କିନ୍ତୁ ତାହା ଫୁଟି ନ ଥିଲା। ପାଖକୁ ଯାଇ ଏକ ବାଡ଼ିରେ ଖେଞ୍ଚିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ତିନିଜଣଙ୍କ ମୁହଁ, ହାତ, ଗୋଡ଼, ମୁଣ୍ଡରେ ଆଘାତ ଲାଗିଥିଲା। କିଛିଦୂରରେ ଛିଡ଼ା ହୋଇଥିବା ସାହିଲ୍‌ ଅଳ୍ପ ଆହତ ହୋଇଥିଲା। ବିସ୍ଫୋରଣର ଶବ୍ଦ ଓ ସେମାନଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକ ଦୌଡ଼ିଆସି ତୁରନ୍ତ ଉଦ୍ଧାର କରିଥିଲେ। ଏହାପରେ ପରିବାର ଲୋକଙ୍କୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚି ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ହାତ, ଗୋଡ଼ ଓ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କର ଆବଶ୍ୟକ ମୁତାବକ ଚିକିତ୍ସା କରାଯାଇଛି।

ସମ୍ବନ୍ଧିତ ଖବର