ଅନ୍‌ଲାଇନ୍‌ ଶିକ୍ଷାକୁ ସୁଦୃଢ଼ କରିବାକୁ ପ୍ରୟାସ : ଗଠିତ ହେଲା ୪ କମିଟି

୧୦ ଦିନ ମଧ୍ୟରେ ପ୍ରସ୍ତୁତ ହେବ ରିପୋର୍ଟ, ମଧୁ ଆପ୍‌ ଓ ଦୀକ୍ଷା ପୋର୍ଟାଲ୍‌‌ରେ ଛଡ଼ାଯିବ

ଭୁବ‌ନେଶ୍ବର : ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଓଡ଼ିଶାରେ ଭିତ୍ତିଭୂମିର ଅଭାବ ରହିଥିବାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ହ୍ବାଟ୍‌ସଆପ୍‌ ଓ ମଧୁ ଆପ୍‌ ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ଲାଗି ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ପାଖାପାଖି ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳ ଶିକ୍ଷା କଥା ନ କହିବା ଭଲ। ବର୍ତମାନ ସମୟରେ କରୋନା ସ୍ଥିତିକୁ ଅନୁଭବ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଜିଟାଲ ତଥା ଅନ୍‌ଲାଇନ୍‌ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କିଭଳି ଅନ୍‌ଲାଇନ୍‌ରେ ଶିକ୍ଷା ମିଳିପାରିବ ସେନେଇ ମାନସମନ୍ଥନ କରାଯାଇଛି। ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷା ଅଧିକାରୀଙ୍କୁ ନେଇ ୪ଟି କମିଟି ଗଠନ ହୋଇଛି। ଯେଉଁମାନେ କି ଅନ୍‌ଲାଇନ୍‌ ଶିକ୍ଷା ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା(ଏକାଦଶ ଓ ଦ୍ବାଦଶ ଶ୍ରେଣୀ) ଲାଗି ଅତିରିକ୍ତ ନିର୍ଦେଶକ ବିଜୟ ପାତ୍ରଙ୍କ ଅଧ୍ୟକ୍ଷତା‌ରେ କମିଟି ଗଠନ ହୋଇଛି। ଯେଉଁଥିରେ ଯୁଗ୍ମ ନିର୍ଦେଶକ ପ୍ରକାଶ କୁମାର ଯୋଶୀ, ଉପ ନିର୍ଦେଶକ ତିଳୋତ୍ତମା ସେନାପତି, ସିଏଚ୍‌ଏସ୍‌ଇର ସୁନୀଲ କୁମାର ଜେନା, ପିଏମ୍‌ୟୁର ଓଆଇସି ଭାଗିରଥୀ କାଣ୍ଡି, ସାଥ୍‌-ଇର ଶ୍ରୀମାନ, ଅଭିମନ୍ୟୁ ବଶିଷ୍ଠ, ଓସେପାର ରଘୁରାଜ ରାଜଗୁରୁ ସଦସ୍ୟ ରହିଛନ୍ତି। ସେହିପରି ମାଧ୍ୟମିକ ଶିକ୍ଷା(୯ମ ଓ ୧୦ମ ଶ୍ରେଣୀ) ଲାଗି ଓସେପାର ଅତିରିକ୍ତ ନିର୍ଦେଶକ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ମାଧ୍ୟମିକ ଶିକ୍ଷାର ଯୁଗ୍ମ ନି‌ର୍ଦେଶକ ସତ୍ୟମୋହନ ସେନାପତି, ଆସିଷ୍ଟାଣ୍ଟ ନି‌ର୍ଦେଶକ ସୁଧାଂଶୁ ଶେଖର ପାତ୍ର, ଖୋ‌ର୍ଧା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ସାଥ୍‌-ଇର ସଂଘମିତ୍ରା ତ୍ରିପାଠୀ, ଶକ୍ତିକାନ୍ତ ବାରିକ, ପିପୁଲ୍‌ ଫର୍‌ ଆକ୍ସନର କାର୍ତ୍ତିକ ଚନ୍ଦ୍ର ସାହୁ, ଓସେପାର ପ୍ରଭାକର ପତିହାରୀ ଏହାର ସଦସ୍ୟ ରହିଛନ୍ତି। ପ୍ରାଥମିକ ଶିକ୍ଷା(ପ୍ରଥମରୁ ୮ମ ଶ୍ରେଣୀ) ପାଇଁ ଓସେପାର ଅତିରିକ୍ତ ନିର୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓସେପାର ଯୁଗ୍ମ ନିର୍ଦେଶକ ଅମିତା ପଟ୍ଟନାୟକ, ଟିଇ ଆଣ୍ଡ୍‌ ଏସ୍‌ଇଆରଟିର ତାପସ କୁମାର ନାୟକ, ମିନାକ୍ଷୀ ପଣ୍ଡା, ଭୁବ‌ନେଶ୍ବର ବିଇଓ ସସ୍ମିତା ମାଳି, ଡିଆଇଇଟିର ପଦ୍ମାଳୟା ନାଥ, ଏଲ୍‌ଏଲ୍‌ଏଫ୍‌ର ଆଦିତି ଅପରାଜିତା, ଅକ୍ଷର ଫାଉଣ୍ଡେସନର ଲିପ୍‌ସା ଭାରତୀ, ସାଥ୍‌-ଇର ସନ୍ତୋଷୀ ଭୋପା, ଶିକ୍ଷକ ପ୍ରବୀର କୁମାର ସାହୁ, ଓସେପାର ଜୁଥିକା ଆଚାର୍ଯ୍ୟ ରହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ରଘୁରାମ ଆୟରଙ୍କ ଅଧ୍ୟକ୍ଷତା‌ରେ ଗଠିତ କମିଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବ। ଏହି କମିଟିରେ ସନାତନ ପଣ୍ଡା, ପ୍ରଭାତ କୁମାର ମିଶ୍ର, କ୍ରିଷ୍ଣ ନାରାୟଣ, ଆଶିଷ ଶର୍ମା, ବିଦ୍ୟରଞ୍ଜନ ମିଶ୍ର ସଦସ୍ୟ ରହିଛନ୍ତି। ଉପରୋକ୍ତ କମିଟିଗୁଡ଼ିକ ଶ୍ରେଣୀ ଅନୁଯାୟୀ ବିଷୟବସ୍ତୁ ପ୍ରସ୍ତୁତ କରିବେ। ବିଭିନ୍ନ ବିଷୟର କେତେ ସଂଖ୍ୟାରେ ଅନ୍‌ଲାଇନ୍‌ ଟିଚିଂ ଉପଲବ୍ଧ ରହିଛି, କେଉଁଠି ସମସ୍ୟା ଅଛି ତାହାକୁ ଅନୁଧ୍ୟାନ କରିବେ। ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ କିଭଳି ବ୍ୟାପକ ହୋଇପାରିବ ସେଦିଗରେ ବି ପଦକ୍ଷେପ ନେବେ। ନିୟମିତ ଭାବେ ଜୁମ୍‌ ଓ ମାଇକ୍ରୋସଫ୍ଟ ଟିମ୍‌ ମାଧ୍ୟମରେ ବୈଠକ କରିବେ। ଅନ୍‌ଲାଇନ୍‌ ଶିକ୍ଷା ନେଇ କେଉଁଠି ତ୍ରୁଟି ରହୁଛି ଉକ୍ତ କମିଟିଗୁଡ଼ିକ ଆସନ୍ତା ୧୦ ଦିନ ମଧ୍ୟରେ ଚିହ୍ନଟ କରିବେ ଏବଂ ପର୍ଯ୍ୟାୟକ୍ରମେ ବିଷୟବସ୍ତୁ ପ୍ରସ୍ତୁତ ରଖିବେ। ବିଷୟବସ୍ତୁଗୁଡ଼ିକ ପ୍ରସ୍ତୁତ ହେବା ପରେ ତାହାକୁ ମଧୁ ଆପ୍‌ ଓ ଦୀକ୍ଷା ପୋର୍ଟାଲ୍‌‌ରେ ଛଡ଼ାଯିବ।

ସମ୍ବନ୍ଧିତ ଖବର