ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ‌ଛୁଇଁଲା

ଚର୍ଚ୍ଚାରେ ରାଜନଗର ଅଞ୍ଚଳର ଯୁବତୀ : କରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି

ଶୁକ୍ରବାର ଆକ୍ରାନ୍ତ ହୋଇଥିବା ୨ ରାଜଧାନୀର
ଜଣେ ମହିଳା, ଅନ୍ୟ ଜଣେ ଯୁବକ
ମଧୁସୂଦନନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ତଥ୍ୟ ପ୍ରଦାନ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ‌ଆକ୍ରାନ୍ତମାନେ କେଉଁ ଅଞ୍ଚଳର, ସେମାନେ ପୁରୁଷ ନା ମହିଳା, ସେମାନଙ୍କ ଯାତ୍ରା ବିବରଣୀ କ’ଣ; ଏ ସବୁ ବିଷୟରେ ସ୍ବାସ୍ଥ୍ୟ ବିଭାଗ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

ରାଜ୍ୟର ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୭ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ଏବେ କେଉଁ ହସ୍ପିଟାଲରେ ଅଛନ୍ତି ତାହା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨ଜଣ କରୋନା ପଜିଟିଭ୍ ରାଜଧାନୀର ବୋଲି ସ୍ପଷ୍ଟ ହୋଇଛି। ଏହି ଦୁଇ ଜଣ ବ୍ୟକ୍ତି ଗତ ୭ତାରିଖରେ ୟୁନିଟ୍‌-୪ ମଧୁସୂଦନ ନଗରରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ୩୫ବର୍ଷୀୟ ମହିଳା ରହିଥିବା ବେଳେ ଅନ୍ୟ ଜଣେ ୨୩ବର୍ଷର ଜଣେ ଯୁବକ ରହିଛନ୍ତି। ଏହି ଦୁଇ କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ ସଂପର୍କରେ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୟୁନିଟ୍‌-୪ସ୍ଥିତ ମଧୁସୂଦନ ଗରରେ ରହୁଥିବା ୪୧ନଂ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ମହିଳା ଜଣକ ଗତମାସ ୨୦ତାରିଖରୁ ଚଳିତମାସ ୩ତାରିଖ ପର୍ଯ୍ୟନ୍ତ ମଧୁସୂଦନ ନଗରରେ ରହିଥିଲେ। ୪ ତାରିଖରେ ସେ ରେଡକ୍ରସ ଭବନ ପର୍ଯ୍ୟନ୍ତ ଯାଇଥିଲେ। ୬ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ‌‌ହେଁ ନିୟମିତ ଯାଞ୍ଚ କଲା ପରେ ଗତକାଲି ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ତାଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଚର୍ଚ୍ଚାରେ ରାଜନଗର ଅଞ୍ଚଳର ଯୁବତୀ : କରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି
ବାପାଙ୍କ ସହିତ ଆମ୍ବୁଲାନ୍ସରେ ଆସିଥିଲେ, ପରିବାରର ୩ ସଦସ୍ୟ କ୍ବାରାଣ୍ଟିନରେ

ରାଜନଗର : ରାଜ୍ୟରେ ଆଜି ୪ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଜଣେ ୧୭ ବର୍ଷର ଯୁବତୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କରୋନା ସନ୍ଦେହରେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସଂପୃକ୍ତ ଯୁବତୀଙ୍କ ପରିବାରର ୩ ଜଣଙ୍କୁ କ୍ବାରାଣ୍ଟିନରେ ରଖିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେବେ ସଂପୃକ୍ତ ଯୁବତୀଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ପୂର୍ବରୁ ଜିଲ୍ଲାର ଆଳି ଅଞ୍ଚଳରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏହି ପରିବାର ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁଯାୟୀ ଯୁବତୀ, ତାଙ୍କ ବାପା ଓ ବ୍ଲକ୍‌ର ଅନ୍ୟ ଏକ ଗ୍ରାମର ଜଣେ ବ୍ୟକ୍ତି ମାର୍ଚ୍ଚ ୨୯ ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କୋଲକାତାରୁ ଗାଁକୁ ଆସିଥିଲେ। ଏହି ୩ ଜଣ ବ୍ୟକ୍ତି କିନ୍ତୁ ନିଜ ଘରେ କ୍ବାରାଣ୍ଟିନରେ ଥିଲେ। କିନ୍ତୁ ଗଲା ୮ ତାରିଖରେ ସଂପୃକ୍ତ ଯୁବତୀଙ୍କ ବାପାଙ୍କଠାରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖା ଦେଇଥିଲା। ସେମାନେ ୧୦୪ ‌‌ଜରିଆରେ ସୂଚନା ଦେବା ପରେ ଗଲା ୯ ତାରିଖ ଦିନ ସଂପୃକ୍ତ ବ୍ୟକ୍ତି ଓ ତାଙ୍କର ୧୭ ବର୍ଷର ଝିଅଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। କିନ୍ତୁ ଝିଅ ଦେହରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିବା ବେଳେ ତାଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଇ କିଛି ବିଧିବଦ୍ଧ ଭାବେ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଗାଁ ଓ ଆଖପାଖ ଅଞ୍ଚଳକୁ ସିଲ୍ କରିବା ଦିଗରେ ପଦକ୍ଷେପ ନିଆଯାଇଛି। କିନ୍ତୁ ସଂପୃକ୍ତ ବାପ-ଝିଅ ଓ ଅନ୍ୟ ଗାଁର ଜଣେ ବ୍ୟକ୍ତି କୋଲକାତାରୁ ଏକ ଘରୋଇ ଆମ୍ବୁଲାନ୍ସରେ କିଭଳି ଆସିଲେ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସେମାନଙ୍କ ସହିତ କୋଲକାତାରୁ ଆସିଥିବା ତୃତୀୟ ବ୍ୟକ୍ତିଙ୍କ ସଂପର୍କରେ ମଧ୍ୟ ତଥ୍ୟ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର