ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଏହି ସୂଚନା ଦେଇଛି । ମାତ୍ର ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ କରାଯାଇ ନାହିଁ । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ବୈଷୟିକ ସମସ୍ୟା ରହିଛି ଓ ତାହା ସଂଶୋଧନ କରାଯିବ ବୋଲି ଏହି ଟୁଇଟରେ ଉଲ୍ଲେଖ କରାଯାଇଛି।
Four COVID-19 positive cases confirmed today so far. Technical issues in the website being rectified.
— H & FW Dept Odisha (@HFWOdisha) April 11, 2020
ଏହା ପୂର୍ବରୁ ଶୁକ୍ରବାର ଦୁଇ ଜଣଙ୍କର ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ଉଭୟ ରୋଗୀ ଭୁବନେଶ୍ବର ମଧୁସୂଦନ ନଗରର ଆକ୍ରାନ୍ତଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଫଳରେ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି।
ସାଧାରଣ ଭାବେ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ନିର୍ଦ୍ଦିଷ୍ଟ ଦିନରେ କେତେଟି ନମୁନା ପରୀକ୍ଷା ହୁଏ ଓ ସେ ମଧ୍ୟରୁ କେତେଟି ପଜିଟିଭ୍ ଓ କେତେଟି ନେଗେଟିଭ୍ ଆସିଲା ତାହା ଦର୍ଶାଯାଇଥାଏ। ମାତ୍ର ଆଜି ଏସବୁ ବିବରଣୀ ନ ଥାଇ କେବଳ ଏଯାବତ୍ ହୋଇଥିବା ସମୁଦାୟ ପରୀକ୍ଷା ସଂଖ୍ୟା ସହ କେତେଟି ପଜିଟିଭ୍ ଓ କେତେଟି ନେଗେଟିଭ୍ ତାହା ଲେଖାଯାଇଛି। ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଏପ୍ରିଲ ୧୧ ତାରିଖ ରାତି ୧୦ଟା ସୁଦ୍ଧା ସମୁଦାୟ ୩୫୫୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୩୪୯୭ଟି ନେଗେଟିଭ ଓ ୫୪ଟି ପଜିଟିଭ ଆସିଛି। ଏହା ସ୍ପଷ୍ଟ କରୁଛି କି ୱେବସାଇଟରେ ଥିବା ତଥ୍ୟ ଭ୍ରମାତ୍ମକ। କାରଣ ଗତକାଲି ସୁଦ୍ଧା ସମୁଦାୟ ୩୫୪୭ ନମୁନା ପରୀକ୍ଷା ହୋଇଥିଲା ବୋଲି ୱେବସାଇଟରେ ଉଲ୍ଲେଖ ଥିବା ବେଳେ ଆଜି ତାହା କେବଳ ୪ ବଢ଼ି ୩୫୫୧ ହୋଇଛି। ଏହା ସୂଚାଉଛି କି ୧୧ ଏପ୍ରିଲରେ ସମୁଦାୟ ୪ଟି ନମୁନା ପରୀକ୍ଷା ହୋଇଛି ଓ ୪ଟି ଯାକ ପଜିଟିଭ ଆସିଛି।