ପୁରୀ ଜିଲ୍ଲାରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪

ପୁରୀ/ଭୁବନେଶ୍ୱର: ପୁରୀ ଜିଲ୍ଲାରେ ଆଜି ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ପୁରୀ ସହରରୁ, ଜଣେ ପିପିଲି ଓ ଅନ୍ୟ ଜଣେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଗତ ୧୫ ତାରିଖରେ କୋର୍ଟ ଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ କୁମ୍ଭାରପଡ଼ା ଥାନାର ପୁଲିସ କର୍ମୀମାନେ ସଂସ୍ପର୍ଶରେ ଆସିଛନ୍ତି। ଏଥି ସହିତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ସେ ନେଇ କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି ।

ଆଜି ସକାଳୁ ପୁରୀ ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସନ୍ଧ୍ୟାରେ ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୯ରେ ପହଞ୍ଚିଛି । ଜିଲ୍ଲାରୁ ଜଣେ ମାତ୍ର ରୋଗୀ ସୁସ୍ଥ ହୋଇଥିବା ବେଳେ ୨୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ୯୧ ହଜାର ୨୨୩ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୮୩୪ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୬୧୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୪ ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୯ ଜଣ, ଭଦ୍ରକ ଜିଲ୍ଲାରୁ ୭୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୯ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୭-୨୭ ଜଣ, ପୁରୀ ଜିଲ୍ଲାରୁ ୨୯ ଜଣ, କଟକ ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର