ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଅନ୍ୟାନ୍ୟ ଅଞ୍ଚଳରେ ୧୧ରୁ ୧୩ ଯାଏ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Advertisment

ଆକଳନ ଅନୁଯାୟୀ ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଅଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବାଲେଶ୍ବର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁରରେ ୧୪ ତାରିଖ ଭିତରେ ସମୁଦାୟ ୯୦ ମିମି ବର୍ଷା ହେବାକୁ ଥିବା ବେଳେ ଖୋର୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସମୁଦାୟ ୬୦ରୁ ୭୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣରେ ସବୁଠାରୁ କମ୍‌ ବର୍ଷା ହେବ। ଏହି ଲଘୁଚାପ ଦ୍ବାରା ଆନ୍ଧ୍ର, ତେଲେଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଅତିପ୍ରବଳ ବର୍ଷା ହେବ। ତାହାକୁ ନଜରରେ ରଖି ଚାଷୀମାନେ ସତର୍କ ହେବା ଆବଶ୍ୟକ। ୧୦ରୁ ୧୪ ପର୍ଯ୍ୟନ୍ତ ଜମିରେ ସାର ପ୍ରୟୋଗ କରନ୍ତୁ ନାହିଁ। ୧୪ରୁ ୧୭ ତାରିଖ ମଧ୍ୟରେ ଅଣଧାନ ଫସଲ ଲଗାଇବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି। ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ। ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୯୯୯.୪ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୭୩୩.୫ ମିମି ବର୍ଷା ହୋଇଛି। ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ନିଅଣ୍ଟିଆ ରହିଛି। ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡ଼ା, ଯାଜପୁର, ସମ୍ବଲପୁର ଜିଲ୍ଲାରେ ନିଅଣ୍ଟିଆ ପରିମାଣ ଅଧିକ ରହିଥିବା ସେ କହିଛନ୍ତି।