ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଗସ୍ତ କରିବେ ରାଜ୍ୟପାଳ ଗଣେଶୀ ଲାଲ୍‌

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ଠାରୁ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାକୁ ଗସ୍ତ କରୁଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ୪ ଦିନିଆ ଗସ୍ତ କାଳରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲା ବୁଲିବେ। ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଓ କିଛି ସମାରୋହରେ ଯୋଗଦେବେ।

ରାଜ୍ୟପାଳ ସୋମାବାର ପୂର୍ବାହ୍ନ ୭ଟା ୪୫ରେ ରାଜଭବନ ଛାଡ଼ି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୭ଟା ୫୫ ମିନିଟରେ ପହଞ୍ଚିବେ। ଏହା ପରେ ୮ଟାରେ ସେ ସରକାରୀ ହେଲିକପ୍ଟରରେ ମାଲକାନଗିରି ଅଭିମୁଖେ ବାହାରିବେ। ସେ ମାଲକାନଗିରି ବିଏସ୍‌ଏଫ ହେଲିପ୍ୟାଡରେ ୧୦ଟା ୨୫ରେ ଅବତରଣ କରିବେ। ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନ ୩ଟା ୨୫ରେ ମାଲକାନଗିରି ଛାଡ଼ି କୋରାପୁଟ ଗସ୍ତ କରିବେ। କୋରାପୁଟରେ ୪ଟାରେ ପହଞ୍ଚି ସେଦିନ ସର୍କିଟ ହାଉସରେ ରାତ୍ରି ଯାପନ କରିବେ।

ନବରଙ୍ଗପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ନଭେମ୍ବର ୧୩ରେ ରାଜ୍ୟପାଳ ଗଣେଶୀ ଲାଲ କୋରାପୁଟରୁ ସଡ଼କ ପଥରେ ନବରଙ୍ଗପୁର ଅଭିମୁଖେ ଗସ୍ତ କରିବେ। ସେ ନବରଙ୍ଗପୁରର କୁନ୍ଦ୍ରାସ୍ଥିତ ଅରବିନ୍ଦ ଶିକ୍ଷାନିକେତନର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ପରେ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବେ। ସନ୍ଧ୍ୟା ୫ଟା ୩୦ରେ ରାଜ୍ୟପାଳ କୋରାପୁଟ ଫେରି ରାତ୍ରିଯାପନ କରିବେ। ରାଜ୍ୟପାଳ ଗଣେଶୀ ଲାଲଙ୍କ ଗସ୍ତ ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି।

ରାଜ୍ୟପାଳ ଗଣେଶୀ ଲାଲ ନଭେମ୍ବର ୧୪ରେ କୋରାପୁଟ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ନଭେମ୍ବର ୧୫ରେ ରାୟଗଡ଼ା ଜିଲ୍ଲାକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଗସ୍ତକୁ ନେଇ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର