ନୂଆପଡ଼ା: ଘର କାମ ଚାଲିଥିବା ବେଳେ ଆଜି ଅପରାହ୍ନରେ ବ୍ରଜପାତ ହୋଇଛି। ଏଥିରେ ଜଣେ ନାବାଳକଙ୍କ ସହ ମୋଟ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବଜ୍ରପାତରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକାମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ତ୍ରିନାଥ ନାଗ (୬୦), ଚୂଡ଼ାମଣୀ ନାଗ (୨୩), ଲକ୍ଷ୍ମଣ ନାଗ (୨୮) ଓ ଗୁଣସାଗର ନାଗ (୧୫)।
ସୂଚନା ଅନୁସାରେ ମଲ୍ଲିକାମୁଣ୍ଡା ଗାଁରେ ଆଜି ତ୍ରିନାଥ ନାଗଙ୍କ ଘର କାମ ଚାଲିଥିଲା। ତ୍ରିନାଥ, ଚୂଡ଼ାମଣୀ, ଲକ୍ଷ୍ମଣ ଓ ଗୁଣସାଗରଙ୍କ ସମେତ ଅନ୍ୟମାନେ ଘରର ଆଜବେଷ୍ଟସ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ତେବେ ବଜ୍ରପାତ ପାଇଁ ମଲ୍ଲିକାମୁଣ୍ଡା ଗାଁରେ ଘଟିଥିବା ଅଭାବନୀୟ ଘଟଣା ନେଇ ଶୋକର ଛାୟା ଖେଳି ଯାଇଛି। ଅଳ୍ପ ସମୟ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ନେଇ ଗ୍ରାମାବସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/4448c4ab-cc0a-4dc8-8323-e7f92383f24f.jpg)