ଆମ୍ବୁଲାନ୍ସକୁ ପିଟିଲା ଗ୍ୟାସ୍‌ ଟ୍ୟାଙ୍କର, ରୋଗୀଙ୍କ ସହ ୪ ମୃତ

ଅନୁଗୁଳ/ଛେଣ୍ଡିପଦା : ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜିଲ୍ଲା ଜରପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ସକାଳେ ସମ୍ବଲପୁରରୁ କଟକ ଯାଉଥିବା ଏକ ଆମ୍ବୁଲାନ୍ସକୁ ସାମ୍‌ନାରୁ ଆସି ଏକ ଗ୍ୟାସ୍‌ ଟ୍ୟାଙ୍କର ପିଟିବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସ ଚାଳକଙ୍କ ସମେତ ଜଣେ ରୋଗୀ ରହିଛନ୍ତି। ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ବ୍ଲକ ରାଜ ଆଗଲପୁରର ଚନ୍ଦନ ମେହେର(୨୨), ବାବୁଲ ମେହେର(୨୪), ବରଗଡ ଜିଲ୍ଲା ବିଜେପୁରର ଗୁଣ୍ଡା ମେହେର(୨୨) ଓ ବୁର୍ଲା ପୂର୍ତ୍ତ କଲୋନିର ବାବୁଲାଲ୍‌ ସୁନା(୩୫)। ଏହି ଭୟଙ୍କର ଦୁର୍ଘଟଣାରେ ଆମ୍ବୁଲାନ୍ସର ଅନ୍ୟ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ଉଦ୍‌ବେଗଜନକ ଥିବାରୁ ସେଠାରୁ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଟ୍ୟାଙ୍କର ଚାଳକ ‌ଫେରାର୍‌ ହୋଇଯାଇଛି।

ସୂଚନା ଅନୁସାରେ, ସମ୍ବଲପୁରରୁ ଜଣେ ରୋଗୀଙ୍କୁ ନେଇ ଏକ ଆମ୍ବୁଲାନ୍ସ(ଓଡ଼ି-୧୫-୪୯୮୮) କଟକ ବଡ଼ ଡାକ୍ତରଖାନାକୁ ଯାଉଥିଲା। ଏଥିରେ ଗାଡ଼ି ଚାଳକ ଓ ରୋଗୀଙ୍କ ସମେତ ମୋଟ ୭ ଜଣ ଥିଲେ। ଏହି ଆମ୍ବୁଲାନ୍ସ କଟକ ଯାଉଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର (ଏନଏଲ-୦୨-କ୍ୟୁ-୫୧୬୩) ସହ ଆଜି ସକାଳ ପ୍ରାୟ ୭ଟା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସଟି ଏକ ପ୍ରକାର ଚାପି ହୋଇଯାଇଥିଲା। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖରୁ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ତେବେ ଗାଡ଼ି ଭିତରେ ଯାତ୍ରୀମାନେ ଚାପି ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ପରେ ଅଗ୍ନିଶମ ବାହିନୀ ଗ୍ୟାସ୍‌ କଟର୍‌ ସହାୟତାରେ ଆମ୍ବୁଲାନ୍ସରୁ ମୃତାହତମାନଙ୍କୁ ବାହାର କରିଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ପାଇଁ ଯାଉଥିବା ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ବ୍ଲକ ରାଜ ଆଗଲପୁରର ଚନ୍ଦନ ମେହେର(୨୨)ଙ୍କ ସମେତ ରୋଗୀଙ୍କ ସଂପର୍କୀୟ ବରଗଡ଼ ଜିଲ୍ଲା ବିଜେପୁରର ଗୁଣ୍ଡା ମେହେର, ବାବୁଲ ମେହେର(୨୪)ଙ୍କ ମୃତଦେହ ଗାଡ଼ିରୁ ଉଦ୍ଧାର କରାଯାଇଥିଲା। ସେହିପରି ଆମ୍ବୁଲାନ୍ସ ଡ୍ରାଇଭର ବାବୁଲାଲ ସୁନା(୩୫)ଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ରାଜ ଆଗଲପୁରର ଲିଙ୍ଗରାଜ ମେହେର(୪୩), ରବି ମେହେର(୫୨) ଓ ସୋନପୁର ଜିଲ୍ଲା ବିନିକା ଅଂଚଳର ସକମା ଗାଁ ବାସିନ୍ଦା କୁଲୁ ପଟେଲ(୩୦)ଙ୍କୁ ପୁଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ପରେ ମୃତଦେହ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା। ମୃତକଙ୍କ ସଂପର୍କୀୟ ଆସିବା ପରେ ଶବ ବ୍ୟବଚ୍ଛେଦ କରି ସନ୍ଧ୍ୟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏକା ସାଙ୍ଗରେ ୪ ଜଣଙ୍କ ମୃତ୍ୟୁ ପରେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପଟେ ଏଥିନେଇ ଜରପଡ଼ା ଥାନା ପୁଲିସ ୭୨/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରାଯାଇଛି। ଫେରାର୍‌ ଟ୍ୟାଙ୍କର ଡ୍ରାଇଭରକୁ ଧରିବା ଲାଗି ପୁଲିସ ପକ୍ଷରୁ ତନାଘନା ଚାଲିଛି।

ସମ୍ବନ୍ଧିତ ଖବର