ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଝାଡ଼ଖଣ୍ଡରେ ବସ୍‌ ଓଲଟି ୪ ମୃତ

ମୃତକଙ୍କ ମଧ୍ୟରେ ମୟୂରଭଞ୍ଜର ୨ ଜଣ, ଅନୁଗୁଳର ୨ ଜଣ

ଅନୁଗୁଳ/ବାରିପଦା : ଝାଡ଼ଖଣ୍ଡ ହଜାରିବାଗର କଟକମସଙ୍ଗି ନିକଟରେ ଓଡ଼ିଶାର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୫୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ୨ ଜଣ, ଅନୁଗୁଳ ଜିଲ୍ଲାର ୨ ଜଣ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ, ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ସୂଚନା ଅନୁସାରେ, ଓଡ଼ିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଓଡ଼ିଶାରୁ ବାହାରିଥିଲା। ଉତ୍ତରାଖଣ୍ଡ, ଗୟା ଆଦି ବୁଲି ଫେରୁଥିବା ବେଳେ ଝାଡ଼ଖଣ୍ଡ ହଜାରିବାଗର କଟକମସଙ୍ଗି ନିକଟରେ ଏକ ଫଳ ବୋଝେଇ ଟ୍ରକ୍‌ ସହିତ ବସ୍‌ର ଧକ୍କା ହୋଇଥିଲା। ବସ୍ ଓଲଟି ପଡ଼ିବାରୁ ଏଥିରେ ଥିବା ୪ଜଣ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକମା‌ନେ ହେ‌ଲେ, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଣିହାଁ କଂସମୁଣ୍ଡା ଗାଁର ମନୁ ବେହେରା (୭୦) ଓ ମସୁଣିହତା ଗାଁର ମେନକା ସାହୁ (୬୮); ମୟୂରଭଞ୍ଜର ଜିଲ୍ଲା
ବାରିପଦା ପାଲବଣିର ନିର୍ମଳ କୁମାର ପରିଡ଼ାଙ୍କ ପତ୍ନୀ ପଙ୍କଜିନୀ ପରିଡ଼ା (୫୨) ଓ ବଡ଼ସାହିର ମନୁ ବେହେରା (୪୧)। ଦୁର୍ଘଟଣା ଯୋଗୁ ପାଖାପାଖି ୫୦ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଶେଷ ଖବର ଅନୁସାରେ; ରବିବାର ରାତି ପ୍ରାୟ ୧୨ଟା ବେଳେ ବାରିପଦା ଡାକ୍ତରଖାନାରେ ୪ଟି ମୃତଦେହ ପହଞ୍ଚିବ। ପଙ୍କଜିନୀ ଓ ମନୁଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାକୁ ଥିବା ‌ବେଳେ ଅନ୍ୟ ଦୁଇ ମୃତଦେହକୁ ତାଳଚେର ପଠାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କୁ ଉତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୧୩ ତାରିଖରେ ଏକ ତୀର୍ଥଯାତ୍ରୀ ବସ୍‌ ବାରିପଦାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳ ଭ୍ରମଣ ପାଇଁ ବାହାରିଥିଲା। ଯାହା ରବିବାର ସନ୍ଧ୍ୟାରେ ବାରିପଦା ପହଞ୍ଚିବାର ଥିଲା।

ସମ୍ବନ୍ଧିତ ଖବର