ନବରଙ୍ଗପୁର/ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍‌ ଅନ୍ତର୍ଗତ ସରାଗୁଡ଼ା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଛତିଥରା ଦୁର୍ଘଟଣା ଘଟିଛି। ବୁଲାଣିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଗୋଟିଏ କାର୍‌ ଗଛରେ ଜୋରଦାର ଧକ୍କା ହୋଇ ଘଟଣାସ୍ଥଳରେ ହିଁ ୩ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଆଉ ଜଣେ ଯୁବକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିଛି ଏବଂ ସେମାନେ ହେଲେ ନବରଙ୍ଗପୁର ସହରର ଶେଖ୍‌ ସଦ୍ଦାମ (୨୫), ରବିନସନ୍ ହିଆଲ (୨୬), ସାବନ ବେନିଆ (୨୭) ଏବଂ ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ପ୍ରଧାନୀଗୁଡ଼ା ଗାଁର ଅନସାର ଖାନ (୨୪)। ସେହିପରି ଗୁରୁତର ଆହତ ପାପଡ଼ାହାଣ୍ଡିର ସକିବ ଖାନ୍‌ (୨୫) କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଡାବୁଗାଁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଉମରକୋଟରେ ଗୋଟିଏ ଫାଇନାନ୍ସ କଂପାନିରେ ରବିନସନ୍‌ ହିଆଲ କାମ କରୁଥିଲେ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ରବିନସନ୍‌ଙ୍କୁ ଉମରକୋଟରେ ଛାଡ଼ିବା ପାଇଁ ଶେଖ୍‌ ସଦ୍ଦାମ ଏବଂ ସାବନ ବେନିଆ କାର୍‌ ନେଇ ନବରଙ୍ଗପୁରରୁ ବାହାରିଥିଲେ। ପ୍ରଧାନୀଗୁଡ଼ାରୁ ଅନସାର ଏବଂ ପାପଡ଼ାହାଣ୍ଡିରୁ ସକିବଙ୍କୁ ଡାକିବା ପରେ ଗନ୍ତବ୍ୟ ଅଭିମୁଖେ ଚାଲିଥିଲେ। କିନ୍ତୁ ସରାଗୁଡ଼ା ଛକର ଗୋଟିଏ ବୁଲାଣିରେ କାର୍‌ ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ରାସ୍ତା କଡ଼ରେ ଗୋଟିଏ ଗଛରେ ଧକ୍କା ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଖବର ପାଇ ପୁଲିସ ଟିମ୍‌ ଏବଂ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତଙ୍କୁ ବାହାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସଦ୍ଦାମ, ରବିନସନ୍ ଓ ସାବନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଅନସାର ଏବଂ ସକିବଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଅନସାରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଗୁରୁତର ସକିବଙ୍କ ଚିକିତ୍ସା ଜାରି ରହିଛି।

ଶନିବାର ସକାଳେ ମୃତ୍ୟୁ ଖବର ପାଇ ଡାବୁଗାଁ ଡାକ୍ତରଖାନାରେ ପହଞ୍ଚିଥିବା ପରିବାର ଲୋକଙ୍କ ବୁକୁଫଟା କାନ୍ଦ ହୃଦୟ ବିଦାରକ ପରିବେଶ ସୃଷ୍ଟି କରିଥିଲା। ଡାବୁଗାଁରେ ବ୍ୟବଚ୍ଛେଦ ପରେ ସଦ୍ଦାମ ଏବଂ ରବିନସନ୍ ହିଆଲଙ୍କ ମରଶରୀର ନବରଙ୍ଗପୁର ସହରର ଗାଦବାଗୁଡ଼ାକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ ହୋଇଛି। ସେହିପରି ସାବନ ବେନିଆଙ୍କ ଅନ୍ତ୍ୟେଷ୍ଟି ପୈତୃକ ଗାଁ ପାପଡାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରପୁରରେ ହୋଇଛି। ସୂଚନାଯୋଗ୍ୟ, ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ସେଠାରେ ପୂର୍ବରୁ ବହୁବାର ଦୁର୍ଘଟଣା ଘଟି ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ବ୍ଲାକ୍‌ ସ୍ପଷ୍ଟ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେଠାରେ ଦୁର୍ଘଟଣା ଏଡ଼ାଇବା ନିମନ୍ତେ କୌଣସି ପ୍ରକାର ସତର୍କତା ସୂଚନା ଦେବା ବ୍ୟବସ୍ଥା ହୋଇନାହିଁ।