କରୋନା ଦ୍ବିତୀୟ ଲହର ନେଲା ୪ ମୁଣ୍ଡ!

ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ଜଣେ; ହୁହୁ ହୋଇ ବଢ଼ୁଛି ସଂକ୍ରମଣ, ସ୍ଥିତି ସଙ୍ଗିନ

ବାଲେଶ୍ବର/ରାଇରଙ୍ଗପୁର/ସିଙ୍ଗଡ଼ା/ଖିଚି° : କରୋନା ଦ୍ବିତୀୟ ପ୍ରବାହ ଯୋଗୁଁ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାବେଳେ ସ୍ଥିତି ସଂଗିନ ହେବାରେ ଲାଗିଲାଣି। ଆଜି ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଓ ବାଲେଶ୍ବରରେ ଜଣେ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି, ଯଦିଓ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇନାହିଁ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଝାଡ଼ଘୋଷଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ କଇରୀ ହେମ୍ବ୍ରମଙ୍କ ସ୍ୱାମୀ ପ୍ରତାପ ହେମ୍ବ୍ରମ (୫୧) ଗତ ମଙ୍ଗଳବାର ଦିନ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ତାଙ୍କୁ ତାଟୋ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପ୍ରତାପଙ୍କୁ ସେହିଦିନ ବାରିପଦା କୋଭିଡ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେପଟେ ଶୁକୃଳି ବ୍ଲକ୍‌ ଅନ୍ତର୍ଗତ ପାର୍ବତୀପୁର ଗ୍ରାମର ନଳିନୀ ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ (୪୫) ଥଣ୍ଡାଜ୍ବରରେ ପୀଡ଼ିତ ହୋଇଥିଲେ। ଆଜି ତାଙ୍କର ସ୍ବାବ୍ ପରୀକ୍ଷା କରାଯିବା ବେଳେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବାକୁ କହିଥିଲେ। ତେବେ ବାସନ୍ତୀ ଔଷଧ ଧରି ଘରେ ପହଞ୍ଚିବାର ମାତ୍ର ଅଧଘଣ୍ଟା ପରେ ଆଖି ବୁଜିଥିଲେ। ଶୁକୃଳି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ଖିଚିଂ ସରପଞ୍ଚ ମନ୍ମଥ ନାଏକ, ରରୁଆଁ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବାସନ୍ତୀଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସେହିପରି ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳର ଜଣେ ୪୦ ବର୍ଷର ଯୁବକ ଚନ୍ଦ୍ରଶେଖର ମହାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କ ଘର ବୁଧିଆକୁଦର ଗାଁରେ। ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। କୋଭିଡ୍‌ ଟେଷ୍ଟ ପରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ଚିକିତ୍ସା ପୂର୍ବରୁ ଡାକ୍ତରଖାନାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବାଲେଶ୍ବରରେ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୭୨ ବର୍ଷ ହେବ। ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାବେଳେ କ‌ରୋନା ସଂକ୍ରମିତ ହୋଇ ଜିଲ୍ଲା କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। କୋଭିଡ୍ ନିୟମ ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର