ହାତୀ ଆକ୍ରମଣରେ ୪ ମୃତ

ଗାଇସିଲାଟ୍/ଡୁଡୁକା : ଗୋଟିଏ ଦିନରେ ବରଗଡ଼ ଜିଲ୍ଲା ଗାଇସିଲlଟ ବ୍ଲକ୍‌ ଅଂଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ରାଇସଲପଦର ପଞ୍ଚାୟତ ଉମରାଡ଼ ଗ୍ରାମର ମାଳ ସେଠ୍(୫୫) ଓ ବିରଞ୍ଚି କୁମ୍ଭାର (୫୫), ନାଥପାଲି ଗ୍ରାମରେ ରହୁଥିବା ସରଗାଡ ଗ୍ରାମର ଶିବ ସେଠ୍ (୬୫) ଓ ଗାଇସିଲାଟ ବ୍ଲକ ସୀମାନ୍ତବର୍ତ୍ତୀ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍‌ ଭରସୁଜା ପଞ୍ଚାୟତ ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁ (୬୦)।

ବୁଧବାର ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଉମରାଡ଼ ବସ୍ତି ନିକଟରେ ମାଳ ସେଠ୍ ହାତୀ ଆକ୍ରମଣର ଶିକାର ହୋଇଥିଲେ l ସେହିପରି ବିରଞ୍ଚି କୁମ୍ଭାର ବସ୍ତିରୁ କିଛି ଦୂରରେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଆକ୍ରମଣ କରି ଖଣ୍ଡବିଖଣ୍ଡିତ କରି ଦେଇଥିଲା। ବିରଞ୍ଚିଙ୍କ ଶରୀର ଗୋଟିଏ ସ୍ଥାନରେ ପଡ଼ିଥିବା ବେଳେ ଗୋଟିଏ ଗୋଡ଼ ପ୍ରାୟ ତିରିଶ ମିଟର ଦୂରରେ ପଡ଼ିଥିଲା। ରାଇସଲପଦର ପଞ୍ଚାୟତ ନାଥପାଲି ସେବାଶ୍ରମ ନିକଟରେ ବଲାଙ୍ଗୀର ଜିଲ୍ଲା ସରଗାଡ଼ ଗ୍ରାମର ଶିବ ସେଠ୍ ଶୌଚ ଯିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଶିବ କିଛିଦିନ ଧରି ସମ୍ପର୍କୀୟଙ୍କ ନାଥପାଲିସ୍ଥିତ ଘରେ ରହି ଆସୁଥିଲେ l ଦରଲିପାଲି ଗ୍ରାମର ବିରଞ୍ଚି ସାହୁ ନିକଟସ୍ଥ ଜମିକୁ ଆମ୍ବା ତୋଳିବାକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ।

ଖବର ପାଇ ଘଟଣାସ୍ଥଳକୁ ଗାଇସିଲlଟ ତହସିଲଦାର ପୁଷ୍ପକ ପଧାନ, ପୁଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ l ପଦମପୁର୍ ଭାରପ୍ରାପ୍ତ ରେଞ୍ଜର ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ସହାୟତା ରାଶି ଓ ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର ଟଟଙ୍ଗ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଗାଇସିଲାଟ୍‌ ପୁଲିସ ବ୍ଲକର ତିନି ମୃତକଙ୍କ ଶବକୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ଉକ୍ତ ହାତୀଟି ତିନି ଦିନ ତଳେ ମେଲଛାମୁଣ୍ଡା ଅଂଚଳରେ ଜଣକୁ ଆକ୍ରମଣ କରି ଦଳି ଦେଇଥିଲା। ହାତୀର ଗତିବିଧି ଠାବ ହେଉନଥିବାରୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ି ଚାଲିଛି। ଦର୍ଲିପାଲି ଗାଁର ବିରଞ୍ଚି ସାହୁ ମୃତ୍ୟୁ ଖବର ପାଇ ଲୋଇସିଂହା ରେଞ୍ଜର ରାଜକିଶୋର ନାଏକ, ସାଲେଭଟା ଫରେଷ୍ଟର ମଧୁସୂଦନ ଗଡୁଆ ଓ ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧିତ ଖବର