ବୋରିଗୁମ୍ମା/ ନାଲ୍କୋନଗର : ଜମିରେ ଚାଷ କରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ ମାଆ ଓ ପୁଅ। ଘଡ଼ଘଡ଼ି ହେବା ଦେଖି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ। ଆଜି ଅଞ୍ଚଳା ଗ୍ରାମର ଲିଙ୍ଗରାଜ ହାଲବା ପତ୍ନୀ ଦୁରୁବତି ହାଲବା (୪୨ବର୍ଷ) ଏବଂ ପୁଅ ଦୀପକ ହାଲବା (୨୦ବର୍ଷ)ଙ୍କ ସହିତ ମିଶି ଗାଁ ନିକଟରେ ଥିବା ନିଜ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ। କାମ କରୁଥିବା ବେଳେ ଘଡ଼ଘଡ଼ି ବର୍ଷା ହେବାରୁ ଲିଙ୍ଗରାଜ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। ବର୍ଷାରେ ଦୁରୁବତି ଓ ଦୀପକ ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଦୁହେଁ ଟଳି ପଡ଼ିଥିଲେ। ପରେ ଉଭୟଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ନିଜ ଆଖି ସାମ୍ନାରେ ପତ୍ନୀ ଓ ପୁଅଙ୍କ ମୃତ୍ୟୁ ଘଟିବା ପରେ ଲିଙ୍ଗରାଜ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।
ସେହିଭଳି ଅନୁଗୁଳ ଜିଲ୍ଲା ନାଲ୍କୋନଗର ଥାନା ଅଧୀନ ବଳରାମପ୍ରସାଦ ଗାଁ କେନ୍ଦୁଢ଼ିପସାହିର ୩ ମହିଳାଙ୍କ ସମେତ ୪ ଜଣ ଆଜି ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ। ନାଲ୍କୋ ଆସ୍ ପଣ୍ଡ୍ ଭିତରେ ଥିବା ଏକ ମଠ ନିକଟରେ ସେମାନେ ଶୁଖିଲା କାଠ ସଂଗ୍ରହ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ପେନି ବେହେରା (୩୭) ଓ ସୁଷମା ବେହେରା (୪୭) ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏଥିସହିତ ଅଜୟ ବେହେରା ଓ କୁଆଁରୀ ବେହେରା ଗୁରୁତର ହୋଇପଡ଼ିଥିଲେ। ଖବରପାଇ ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।