ଏମ୍‌କେସିଜିରେ ଅକ୍ସିଜେନ୍‌ ଅଭାବରୁ ୪ ମୃତ!

ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗକୁ ଅପପ୍ରଚାର କହିଲେ ଜିଲ୍ଲାପାଳ

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଅକ୍ସିଜେନ୍‌ ଅଭାବରୁ ୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଜଣେ ଜନପ୍ରତିନିଧି ଏଭଳି ଅଭିଯୋଗ କରିଛନ୍ତି। ଯାହାର ଏକ ଭିଡ଼ିଓ ଭାଇରାଲ୍‌ ହୋଇଛି। ଅକ୍ସିଜେନ୍‌ ଅଭାବରୁ ବଡ଼ ଡାକ୍ତରଖାନା କାଜୁଆଲ୍‌ଟିରେ କିଛି ଘଣ୍ଟା ମଧ୍ୟରେ ୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁକୁଡ଼ାଖଣ୍ଡି ବ୍ଲକ୍‌ ୧୦ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଏଲ୍‌. ମୋହନ ଦାସ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍‌ କରି ଖଣ୍ଡନ କରିଛନ୍ତି। ଅକ୍ସିଜେନ୍‌ର ଅଭାବ ନାହିଁ। ଏଭଳି ଅପପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି। ରୋଗୀଙ୍କୁ ଅକ୍ସିଜେନ୍‌ ଦିଆଯିବ କି ନାହିଁ ତାହା ଡାକ୍ତର ନିଷ୍ପତ୍ତି ନେବେ, ଡାକ୍ତରମାନେ ଠିକ୍‌ ଭାବେ ତାଙ୍କର ଦାୟିତ୍ବ ସମ୍ପାଦନ କରୁଛନ୍ତି। କୋଭିଡ୍‌ ଯୋଦ୍ଧାଙ୍କୁ ନିରୁତ୍ସାହିତ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ଲୋଚାପଡ଼ା ନିବାସୀ ଶ୍ରୀ ଦାସଙ୍କ କହିବା ଅନୁସାରେ, ଗତକାଲି ସକାଳ ୬ଟାରେ ସେ ତାଙ୍କର ଜଣେ ବନ୍ଧୁ ଅର୍ଜୁନ ପାତ୍ରଙ୍କୁ ବଡ଼ ଡାକ୍ତରଖାନା ନେଇଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ଅକ୍ସି‌ଜେନ୍‌ ଦେବାକୁ କହିଥିଲେ। ଶ୍ରୀ ଦାସ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଇବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ କହିଥିଲେ। ହେଲେ କେହି ତାଙ୍କ କଥା ଶୁଣି ନଥିଲେ। ତାଙ୍କ ପୂର୍ବରୁ ଅନ୍ୟ ୩ଜଣ ରୋଗୀଙ୍କ ସମ୍ପର୍କୀୟ ଅକ୍ସିଜେନ୍‌ ସିଲିଣ୍ଡର୍‌ ପାଇଁ ଛିଡ଼ା ହୋଇଥିଲେ। କିନ୍ତୁ କାହାକୁ ଅକ୍ସିଜେନ୍‌ ମିଳି ନଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ଅକ୍ସିଜେନ୍‌ ମିଳିଥିଲା ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବନ୍ଧୁଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ରୋଗୀ ଅକ୍ସିଜେନ୍‌ ନପାଇ ମୃତ୍ୟୁବରଣ କରିଥିଲେ। ଏହାର କିଛି ସମୟ ପରେ ପୁଣିଥରେ ଅନ୍ୟ ଦୁଇଜଣ ରୋଗୀଙ୍କୁ ବିଳମ୍ବରେ ଅକ୍ସିଜେନ୍‌ ଦିଆଯିବା ଯୋଗୁଁ ସେମାନେ ମଧ୍ୟ ମୃତ୍ୟୁବରଣ କରିଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ବଡ଼ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥାରେ ଏଭଳି ସ୍ଥିତି ଦେଖି ଶ୍ରୀ ଦାସ ତାଙ୍କ ବନ୍ଧୁଙ୍କୁ ଏକ ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଡାକ୍ତରଙ୍କ କହିବା ସତ୍ତ୍ବେ ରୋଗୀଙ୍କୁ ଠିକ୍‌ ସମୟରେ ଅକ୍ସିଜେନ୍‌ ନଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଘଟଣାକୁ ନେଇ ଶ୍ରୀ ଦାସ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ୍‌ କରି ଜିଲ୍ଲା ପ୍ରଶାସନ ଓ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର