ନୟାଗଡ଼ ବଡ଼ପଣ୍ଡୁସରଠାରେ ଦୁର୍ଘଟଣା
ସମସ୍ତ ମୃତକଙ୍କ ଘର ନୟାଗଡ଼ର ସାନପଣ୍ଡୁସରରେ
ପାରାଦୀପରୁ ପାଟଣାଗଡ଼ ଯିବାର ଥିଲା ଟ୍ୟାଙ୍କର୍
ନୟାଗଡ଼ : ଗତକାଲି (ଶୁକ୍ରବାର) ରାତି ପ୍ରାୟ ୨ଟା ସମୟରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅଧୀନ ବଡ଼ପଣ୍ଡୁସର ପୋଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର୍ (ଓଡି-୦୫-ଏଏସ୍- ୭୭୧୧) ବଡ଼ପଣ୍ଡୁସର ପୋଲ ଉପରୁ ବାଡ଼ ଭାଙ୍ଗି କୁସୁମୀ ନଦୀକୁ ଖସି ପଡ଼ିଥିଲା। ପ୍ରାୟ ୬୦ ଫୁଟ୍ ତଳେ ନଦୀ ମଧ୍ୟକୁ ଏହି ଟ୍ୟାଙ୍କର୍ ଖସିପଡ଼ିଥିଲା। ଏହାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ରେ କୌଣସି କାରଣବଶତଃ ନିଆଁ ଲାଗି ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏଥିରେ ଚାଳକ, ହେଲପର୍ଙ୍କୁ ମିଶାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର ଉକ୍ତ ଥାନା ଅଧୀନ ସାନପଣ୍ଡୁସର ଗ୍ରାମରେ। ଉକ୍ତ ଗ୍ରାମର ପ୍ରାୟ ଯୁବକ ଗାଡ଼ି ଚାଳକ ଭାବେ କାମ କରନ୍ତି।
ମୃତକମାନେ ହେଲେ ଉକ୍ତ ଟ୍ୟାଙ୍କର୍ର ଚାଳକ ସମୀର କୁମାର ନାୟକ(୨୫), ହେଲପର୍ ସାଗର ଖଟୁଆ(୨୦)। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଟ୍ୟାଙ୍କର୍ ବିସ୍ଫୋରଣ ଫଳରେ ପଙ୍କଜ କୁମାର ନାୟକ(୩୨), ଦୀପୁ ଖଟୁଆ(୨୨)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପଙ୍କଜ ଓ ଦୀପୁ ଅନ୍ୟ ଏକ ଟ୍ୟାଙ୍କର୍ର ଚାଳକ, ହେଲପର୍ ଥିଲେ। ଏହି ଦୁର୍ଘଟଣାରେ ଦୀପକ ସାମନ୍ତରାୟ ନାମକ ଜଣେ ଚାଳକଙ୍କ ଅବସ୍ଥା ଗୁରୁତର ଥିବା, ସେ କଟକରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପରୁ ଦୁଇଟି ତେଲ ଟ୍ୟାଙ୍କର୍ ଆଣି ଏମାନେ ପଶ୍ଚିମ ଓଡ଼ିଶାର ପାଟଣାଗଡ଼ ଅଭିମୁଖେ ଯିବାର ଥିଲା। ଶୁକ୍ରବାର ଦିନ ରାତିରେ ନିଜ ଗ୍ରାମ ନୟାଗଡ଼ର ସାନପଣ୍ଡୁସରରେ କଟାଇ, ଶନିବାର ସକାଳୁ ପାଟଣାଗଡ଼ ଅଭିମୁଖେ ଯାଇଥାନ୍ତେ। ମାସର ଅଧିକାଂଶ ଦିନ ଉକ୍ତ ଚାଳକମାନେ ପାରାଦୀପରୁ ବିଭିନ୍ନ ସ୍ଥାନକୁ ଏଭଳି ତେଲ ଟ୍ୟାଙ୍କର ନେଇ ଯାଇଥାନ୍ତି। ଆଗ ପଛ ହୋଇ ଦୁଇ ଚାଳକ ପଙ୍କଜ ଓ ସମୀର ଦୁଇଟି ଟ୍ୟାଙ୍କର ଚଳାଇ ଆସୁଥିଲେ। ତେବେ ବଡ଼ପଣ୍ଡୁସର ପାଖାପାଖି ପହଞ୍ଚିଥିବା ବେଳେ, ପଛରେ ଆସୁଥିବା ସମୀର କୌଣସି କାରଣରୁ ଭାରସାମ୍ୟ ହରାଇ ପୋଲ ତଳକୁ ଟ୍ୟାଙ୍କର୍କୁ ଖସାଇ ଦେଇଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ଆଗରେ ଆସୁଥିବା ଟ୍ୟାଙ୍କର୍ ଚାଳକ ପଙ୍କଜ, ଦୀପୁ, ଦୀପକ ପ୍ରମୁଖ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ଏହି ସମୟରେ ନଦୀରେ ପଡ଼ିଥିବା ଟ୍ୟାଙ୍କର୍ରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ନଦୀରେ ଅଳ୍ପ ପାଣି ଥିବାରୁ ଟ୍ୟାଙ୍କର୍ଟି ସଂପୂର୍ଣ୍ଣ ବୁଡ଼ିନଥିଲା, ଫଳରେ ନିଆଁ ଲାଗିବା ସମ୍ଭବ ହୋଇଥିଲା। ଫଳରେ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଟ୍ୟାଙ୍କର୍ ଚାଳକ, ହେଲପର୍ ଦ୍ବୟଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଉଠିପଡ଼ିଥିଲେ। ଏହା ପରେ ଇଟାମାଟି ପୁଲିସକୁ ଖବର ଦେଇଥିଲେ। ନଦୀ ମଧ୍ୟରେ ଓଲଟି ପଡ଼ିଥିବା ତେଲ ଟ୍ୟାଙ୍କର୍କୁ ଜେସିବି ମାଧ୍ୟମରେ ସିଧା କରି ଇଟାମାଟି ପୁଲିସ, ଅଗ୍ନିଶମ ବାହିନୀ ଏହା ମଧ୍ୟରୁ ଶବ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଶବଗୁଡ଼ିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଘଟଣାସ୍ଥଳରେ ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତା ଓ ଟିମ୍ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିଥିଲେ। ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ସଭିଁଙ୍କୁ ମର୍ମାହତ କରିଛି। ସାନପଣ୍ଡୁସର ଗ୍ରାମ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିଜେଡି, ବିଜେପି ନେତୃବର୍ଗଙ୍କ ସୁଅ ଛୁଟିଥିଲା। ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ସରୋଜ କୁମାର ରଣସିଂହ, କ୍ଷୀରୋଦ ମହାପାତ୍ର, ସୁବାସ କଅଁର, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଏବଂ ପିସିସି ସଂପାଦକ ହୁସେନ୍ ଖାଁ ପ୍ରମୁଖ ଶୋକସନ୍ତପ୍ତ ପରିବାର ତଥା ଗ୍ରାମବାସୀଙ୍କୁ ଭେଟିଥିଲେ। ଏନେଇ ଇଟାମାଟି ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/naya.jpg)