କାର୍‌ ଉପରେ ଚଢ଼ିଗଲା ହାଇୱା, ୪ ମୃତ

ମୃତକଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ, ଅଧା ରହିଗଲା ମୀନାବଜାର ଦେଖା

କେନ୍ଦୁଝର/ଘଟଗାଁ : ଅଧା ରହିଗଲା ମୀନା‌ବଜାର ଦେଖା। ମାତ୍ର କିଛି ସମୟ ମଧ୍ୟରେ କେନ୍ଦୁଝର ମୀନାବଜାର ପଡ଼ିଆରେ ପହଞ୍ଚିଥା’ନ୍ତେ। ହେଲେ, ଏହା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ। କେନ୍ଦୁଝର ଜିଲ୍ଲା ସଦର ଥାନା ବଡ଼ପଶି ନିକଟରେ କାର୍‌ ଓ ହାଇୱା ମଧ୍ୟରେ ଧକ୍କାରେ ଘଟଗାଁ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ନାଏକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। କାର୍‌ ଏବଂ ହାଇୱା ଡ୍ରାଇଭର ଗୁରୁତର ଅଛନ୍ତି। ଉଭୟଙ୍କ ପରିଚୟ ମିଳିନ ଥିବା‌ବେଳେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ନାଏକଙ୍କ ସମେତ ଘଟଗାଁ ବ୍ଲକ୍‌ ପିପିଳିଆ ଗ୍ରାମର ଚିତ୍ତରଞ୍ଜନ ନାଏକ, ହୃଷୀକେଶ ସିଂହ ଓ ନରୋତ୍ତମ ସିଂହ ଗୁରୁବାର ଦିନ କେନ୍ଦୁଝର କାଳୀପଡ଼ିଆରେ ଚାଲିଥିବା ମୀନାବଜାର ବୁଲିଯିବାକୁ ସ୍ଥିର କରିଥିଲେ। ଏଥିପାଇଁ ଆଜି ଅପରାହ୍ନରେ ଶ୍ରୀ ନାଏକ ସରାସପଶି ପଞ୍ଚାୟତ ବୃନ୍ଦାବନପୁରସ୍ଥିତ ନିଜ ଘରୁ କାର୍‌ ନେଇ ବାହାରିଥିଲେ। ପିପିଳିଆ ନିକଟରେ ଚିତ୍ତରଂଜନ, ହୃଷୀକେଶ ଏବଂ ନରୋତ୍ତମ ତାଙ୍କ ସହ ସାମିଲ ହୋଇଥିଲେ। ସମସ୍ତେ କେନ୍ଦୁଝର ଯାଉଥିବା ‌ବେଳେ ଗନ୍ତବ୍ୟସ୍ଥଳର ମାତ୍ର ୧୦ କିମି ପୂର୍ବରୁ ବଡ଼ପଶି ନିକଟରେ ଘଟିଲା ଅଘଟଣ। ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା କାର୍‌ ଉପରେ ଚଢ଼ିଯାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଚିତ୍ତରଂଜନ, ହୃଷୀକେଶ ଏବଂ ନରୋତ୍ତମଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ନାଏକ, କାର୍‌ ଚାଳକ ଓ ହାଇୱା ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଶ୍ରୀ ନାଏକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ କେନ୍ଦୁଝର ସଦର ଥାନା ଅଧିକାରୀ ସୁନୀଲ କୁମାର କର ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛନ୍ତି।

ଏହି ଭୟଙ୍କର ଦୁର୍ଘଟଣାରେ ମୃତ ପ୍ରକାଶ ନାଏକ ୨୦୦୭ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟ ଭାବେ ସରାସପଶି ପଞ୍ଚାୟତରୁ ନିର୍ବାଚିତ ହୋଇ ବ୍ଲକ୍‌ ଅଧ୍ୟକ୍ଷ ହୋଇଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ସଫଳତାର ସହ ନିଜ ଦାୟିତ୍ବ ସମ୍ପାଦନ କରିଥିଲେ। ୨୦୧୨ରେ ବିଜେଡି ଟିକଟରେ ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ସେ ବିଜେପି ଆଦିବାସୀ ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର