କେନ୍ଦୁଝର: ଦୁର୍ଘଟଣାରେ ୪ ମୃତ

ଚମକପୁର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ରଘୁଆଳସାହି ଓଭରବ୍ରିଜ୍‌ ଉପରେ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସେମାନଙ୍କ ଘର ତ୍ରିଲୋଚନପୁର ଗ୍ରାମରେ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ଦୁଇଜଣ ଯୁବକ ଏକ ପଲସର୍‌ ବାଇକ୍‌ (ଓଡି-୦୯-ପି-୫୦୪୩)ରେ ଜିନ୍ଦଲ କମ୍ପାନିକୁ ରାତି ଡ୍ୟୁଟି କରିବା ପାଇଁ ଯାଉଥି‌ଲେ। ରଘୁଆଳସାହି ଓଭରବ୍ରଜି ଉପରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ପଛରୁ ଧକ୍କା ଦେବାକୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଚମ୍ପୁଆ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟଏକ ଘଟଣାରେ  ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା କୁଶକଳାଠାରେ ଶନିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ସଦର ଥାନା କସଡ଼ା ଗ୍ରାମର ଅରବିନ୍ଦ ସାଆନ୍ତ (୩୦)। ଗୁରୁତର ବାଇକ୍‌ ଚାଳକ ଜଣଙ୍କ ହେଲେ ସଦର ଥାନା କୁସୁମିତା ଗ୍ରାମର ସ୍ୱପ୍ନ ଗିରି।

ପ୍ରାପ୍ତ ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଅରବିନ୍ଦ ନିଜ ଗ୍ରାମ କସଡ଼ାରୁ ଏକ ଅଟୋରେ ଶ୍ବଶୁରଘର କୁଶକଳା ଆସୁଥିଲେ। ଅଟୋରୁ ଓହ୍ଲାଇ କରାଳପଶିରୁ କୁଶକଳା ଆଡ଼କୁ ଚାଲିଚାଲି ଯାଉଥିବା ବେଳେ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଏକ ବାଇକ୍‌ (ଓଆର୍‌-୦୪-ପି-୪୨୫୫) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଇକ ଚାଳକ ମଧ୍ୟ ରାସ୍ତାରେ ପଡ଼ି ଗୁରୁତର ହୋଇଛନ୍ତି। ନୟାକୋଟ ପୁଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନା ପଠାଇଛି।

ସେହିପରି ଅନ୍ୟ ଏକ ଘଟଣାରେ  କେନ୍ଦୁଝର ସହରର ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଧକ୍କ‌ାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହାଟଡିହି ବ୍ଲକ୍‌ ବିଦ୍ୟାଧରପୁର ଗ୍ରାମର ଭୀମସେନ ବେହେରା। ଭୀମସେନ କେନ୍ଦୁଝର ଶ୍ରୀକ୍ଷେତ୍ର ହୋଟେଲ ନିକଟରେ ଘର ଭଡ଼ା ନେଇ ରହୁଥିଲେ। ଶନିବାର ସନ୍ଧ୍ୟାରେ ସେ ବାଇକ୍‌ ନେଇ ବଜାର ଯାଇଥିଲେ। ଫେରିବା ବେଳେ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ହୋଇଥିବା ଖାଲରେ ତାଙ୍କ ବାଇକ୍‌ ଚକ ପଡ଼ିଯିବାରୁ ସେ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ (ଏନ୍‌ଏଲ୍‌-୦୧ଜି-୧୮୩୪)ର ପଛ ଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ସେହିପରି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଠାକୁରଡିହି ପୋଲ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛ‌ରେ ଆ‌ଉ ଏକ ଟ୍ରକ୍‌ ଧକ୍କା ହେବାରୁ ଟ୍ରକ୍‌ ଚାଳକ ଗୁରୁତର ଗୁରୁତର ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରିନି।

ସମ୍ବନ୍ଧିତ ଖବର