ଶ୍ରୀରାମନଗରରେ ଆତଙ୍କ : ଦିନକରେ ୪ଜଣଙ୍କ ଆସ୍ବାଭାବିକ ମୃତ୍ୟୁ

ବ୍ରହ୍ମପୁର : କରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ। ବ୍ରହ୍ମପୁର ସହରରେ ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେସରକାରୀ ସୂତ୍ର ଅନୁସାରେ ପ୍ରତିଦିନ ରୋଗୀଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ପ୍ରଶାସନ ଏହାକୁ କରୋନା ମୃତ୍ୟୁ ବୋଲି ଗ୍ରହଣ କରୁ ନାହିଁ। ପ୍ରତିଦିନ ମହାନଗରର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ଏବେ ଚିନ୍ତାର କାରଣ ହୋଇଛି। ମହାନଗର ନିଗମର ୱାର୍ଡ଼-୪ ଅନ୍ତର୍ଗତ ଶ୍ରୀରାମନଗରରେ ଆଜି ଦିନକରେ ୪ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଏଭଳି ଘଟଣା ପ୍ରଚାରିତ ହେବା ପରେ ଶ୍ରୀରାମନଗର ଅଞ୍ଚଳରେ ଆତଙ୍କର ବାତାବରଣ ଦେଖା ଦେଇଛି। ଗତ ପ୍ରାୟ ସପ୍ତାହେ ହେଲା ଏହି ଅଞ୍ଚଳରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟୁଥିବା ନେଇ ପୂର୍ବତନ କର୍ପୋରେଟର୍‌ ଅନୀଲ ନାୟକ ଅଭିଯୋଗ କରିଛନ୍ତି। ସେପଟେ କରୋନା ରୋଗୀଙ୍କ ଚିକିତ୍ସା ଓ ରିପୋର୍ଟ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଯାହାଦ୍ବାରା ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସି ରୋଗ ବାଣ୍ଟୁଛନ୍ତି। ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଶ୍ରୀରାମନଗରରେ ଗତ କିଛିଦିନ ତଳେ ଜଣେ ଅଙ୍ଗନବାଡ଼ି ସୁପର୍‌ଭାଇଜର୍‌ ତଥା କୋଭିଡ୍‌ ଯୋଦ୍ଧା ଆବଶ୍ୟକ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିଲେ। ଏପରିକି ଶବ ସତ୍କାର କରାଯାଇ ନପାରି ମଶାଣିରେ ମରଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା। ପୂର୍ବତନ କର୍ପୋରେଟର୍‌ ଶ୍ରୀ ନାୟକଙ୍କ ହସ୍ତକ୍ଷେପ ପରେ ପ୍ରଶାସନ ତରଫରୁ ଶବ ସତ୍କାର କରାଯାଇଥିଲା। ଆଜି ଏହି ଅଞ୍ଚଳରେ ଟୁନା ଜେନା, ମହାଦେଇ ସାବତ, ସୁଜନ ସେଠୀ, ହରି ପାତ୍ର ନାମକ ୪ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏମାନଙ୍କ ବୟସ ୫୦ରୁ ୬୦ ମଧ୍ୟରେ ବୋଲି ସୂଚନା ମିଳିଛି। ସେହିପରି ଗତକାଲି ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟୁଥିବାରୁ ଶ୍ରୀରାମନଗର ଅଞ୍ଚଳବାସୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଅଞ୍ଚଳବାସୀଙ୍କ ଦାବି କ୍ରମେ ଦମକଳ ବାହିନୀ ଦ୍ବାରା ଶ୍ରୀରାମନଗର ଅଞ୍ଚଳ ସାନିଟାଇଜ୍‌ କରାଯାଇଛି। ତୁରନ୍ତ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ପୂର୍ବତନ କର୍ପୋରଟର୍‌ ଶ୍ରୀ ନାୟକ, ଆଇନଜୀବୀ ପ୍ରଦୀପ ବେହେରା, ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ବିଶ୍ବାଳ ପ୍ରମୁଖ ଦାବି କରିଛନ୍ତି।

ଅପରପକ୍ଷରେ ଯେଉଁ ସନ୍ଦିଗ୍ଧଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଉଛି ତାଙ୍କର ରିପୋର୍ଟ ଆସିବାକୁ ୫/୬ଦିନ ସମୟ ଲାଗି ଯାଉଛି। ରିପୋର୍ଟ ଆସିବା ସମୟକୁ ଅପେକ୍ଷା କରି ସମ୍ପୃକ୍ତ ବ୍ୟକ୍ତି ଜଣକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ଫଳରେ ସଂକ୍ରମଣ ବ୍ୟାପୁଛି। ପଜିଟିଭ୍‌ ରିପୋର୍ଟ ଆସିବା ପରେ କୋଭିଡ୍‌ ହସ୍‌ପିଟାଲ ଯିବା ପାଇଁ ଫୋନ୍‌ ଆସୁଛି। ହେଲେ ଠିକ୍‌ ସମୟରେ ଆମ୍ବୁଲାନ୍ସ ଆସୁ ନାହିଁ କି ସ୍ବାସ୍ଥ୍ୟକର୍ମୀ ମଧ୍ୟ ଆସୁ ନାହାନ୍ତି। କେବଳ ଘର ବାହାରେ ଏକ ଷ୍ଟିକର୍‌ ଲଗାଇ କାମ ସାରି ଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ ପନ୍ଥା ବାହାର ନକଲେ ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର