ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ସଚେତନତା ଅଭାବ ଯୋଗୁଁ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ରହିଛି। ସଚେତନତା ଅଭାବ ଯୋଗୁଁ ଗୁଣି ଗାରେଡି କରୁଥିବା ନେଇ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଂଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଦେଖିବାକୁ ମିଳିଛି।
ବୁଟୁଲି ସାନ୍ତାଙ୍କ ଅଭିଯୋଗ ପ୍ରକରେ କେନ୍ଦୁଗୁଡା ଗ୍ରାମରେ ବୁଟୁଲିଙ୍କ ମାଆ ରଇବାରୀ ସନ୍ତା(୬୦) ନିଜ ପରିବାର ସହ ରହୁଥିଲେ। ତେବେ ସଚେତନତା ଅଭାବ ଯୋଗୁଁ ଗ୍ରାମର କିଛି ଲୋକ ରଇବାରୀ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ଗଣ୍ଡଗଲ କରୁଥିଲେ। ଏନେଇ ଝରିଗାଁ ଥାନାରେ ରଇବାରୀ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ଥାନା ପକ୍ଷରୁ ଉଭୟଙ୍କୁ ଡାକି ରାଜିନାମା କରିଥିଲେ।
ଗତ ୭ ତାରିଖ ଦିନ ପରିବାର ଲୋକଙ୍କ ସହ ରଇବାରୀ ଘରେ ଥିବା ବେଳେ କେନ୍ଦୁଗୁଡା ଗ୍ରାମର ସାରଥୀ ସାନ୍ତା, ସ୍ତ୍ରୀ କାଜଳୀ ସାନ୍ତା, ମୁଗୁରୀ ସାନ୍ତା, ସ୍ତ୍ରୀ ଚମ୍ପା ସାନ୍ତା, ଲଖି ସାନ୍ତା, ପଲାଦୁ ସାନ୍ତା, ମାତିରି ସାନ୍ତା ପ୍ରମୁଖ ଆସି ମାଆଙ୍କୁ ଗୁଣି ଗାରେଡି କରୁଛୁ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଘର ଭିତରେ ସମସ୍ତେ ପ୍ରବେଶ କରି ମାଆଙ୍କୁ ମାଡ଼ ମାରିବା ସହ ଡେଣା ଧରି ମୁଗୁରୀ ସନ୍ତା ଘରକୁ ଟାଣି ନେଇଥିଲେ।ପରିବାର ଲୋକ ଭୟରେ ଆଉ ମୁଗୁରୀ ସନ୍ତା ଘରକୁ ଯାଇନଥିଲେ।ତା ପର ଠାରୁ ରଇବାରୀ ଘରକୁ ଫେରିନଥିଲେ।ତେବେ ଆଜି ରଇବାରୀ ସାନ୍ତାଙ୍କୁ ମାରି ପୋତି ଦେଇଥିବା ଜାଣିବା ପରେ ପୁଣି ଝରିଗାଁ ଥାନାରେ ଝିଅ ବୁଟୁଲି ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ ଝରିଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସମ୍ବେଦନଶୀଳ ଘଟଣା ହୋଇଥିବା ଯୋଗୁଁ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଏକ ଟିମ କେନ୍ଦୁଗୁଡା ଗ୍ରାମ ଯାଇ ତଦନ୍ତ କରିଥିଲେ। ପୁଲିସର ପ୍ରାଥମିକ ତଦନ୍ତରେ ରଇବାରୀଙ୍କୁ ହତ୍ୟା କରି ଗାଁ ଠାରୁ ତିନି କିଲୋମିଟର ଦୂରରେ ଥିବା ରଇବାରିଙ୍କ ନିଜ ଜମିରେ ପୋତି ଦେଇଥିବା ଜାଣିବା ପରେ ଝରିଗାଁ ତହସିଲଦାର ତଥା ମାଜିଷ୍ଟ୍ରେଟ ଶଙ୍କର ପଟ୍ଟନାୟକଙ୍କ ଉପସ୍ଥିତରେ ମାଟି ତଳୁ ଶବ ଉଦ୍ଧାର କରିଥିଲେ।ଶବ ଜବତ କରିବା ସହ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ତେବେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏନେଇ ଝରିଗାଁ ଥାନା କେସ ନମ୍ବର ୫୪/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଅଛି। ସେହିପରି ପୁଲିସ ହତ୍ୟାକାଣ୍ଡ ଘଟଣାରେ ଦୁଇ ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/7a0df51a-821b-444b-a497-abf78ce0407d.jpeg)