କରୋନା ସଂକ୍ରମଣ: ରେଡ୍‌ ଜୋନ୍‌ରେ ରାଜ୍ୟର ୪ ଜିଲ୍ଲା

ଆଉ ୮୭୭୮ଜଣ ଆକ୍ରାନ୍ତ ଚିହ୍ନଟ
ଟିପିଆର୍‌ ୧୧.୭୭%
ମାଡ଼ୁଛି ଓମିକ୍ରନ୍, ୨୬% ଆକ୍ରାନ୍ତ
ପୁଣି ୬୭ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ଦିନ ରାଜ୍ୟରେ ୮୭୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ଟିପିଆର୍‌ ୧୧.୭୭%ରେ ପହଞ୍ଚିଛି। ଏପଟେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ବୁଧବାର ୬୭ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ରାଜ୍ୟରେ ଅଧିକରୁ ଅଧିକ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ବାସ୍ତବରେ କେତେ ଓମିକ୍ରନ ଆକ୍ରାନ୍ତ ହେଲେଣି ତାହା ଜଣାପଡ଼ୁନି। କିନ୍ତୁ ଇନଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ୍ ସାଇନ୍ସ (ଆଇଏଲ୍‌ଏସ୍‌) ତଥ୍ୟ ସଂକେତ ଦେଉଛି ଯେ ରାଜ୍ୟରେ ଏବେ ଓମିକ୍ରନ୍ ମାଡ଼ିଗଲାଣି।

ଆଇଏଲ୍‌ଏସ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଯେଉଁ ୬୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ୨୬୩ଟି ନମୁନାର ଜିନମ୍ ସିକ୍ବେନ୍ସିଂରୁ ଜଣାପଡ଼ିଛି। ଯାହା ମୋଟ୍‌ ନମୁନାର ପ୍ରାୟ ୨୬%।

livemint.com

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ବାଲେଶ୍ବର, କଟକ, ଖୋର୍ଦ୍ଧା, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀରୁ ଏହି ନମୁନା ସଂଗ୍ରହ ହୋଇଥିବା ବେଳେ କେହି ବି ବିଦେଶରୁ ଫେରିନଥିଲେ କି ‌ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିନଥିଲେ। ଏମାନଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ କି ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିନାହାନ୍ତି। ଯାହା ଏକପ୍ରକାରର ପ୍ରମାଣିତ କରୁଛି ଯେ, ରାଜ୍ୟରେ ଓମିକ୍ରନ ସାଧାରଣ ଲୋକଙ୍କ ମଧ୍ୟ‌ରେ ମାଡ଼ିଗଲାଣି।

ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ଆଇଏଲ୍‌ଏସ୍‌କୁ ପ୍ରାୟ ୯୫୦ କରୋନା ଆକ୍ରାନ୍ତଙ୍କର ନମୁନା ଜିନମ୍ ସିକ୍ବେନ୍ସିଂ ପାଇଁ ଆସିଥିବାବେଳେ ଏଥିରୁ ୧୭୦ଜଣ ଓମିକ୍ରନ୍ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଯାହା ମୋଟ୍ ଜିନମ୍‌ ସିକ୍ବେନ୍ସିଂର ପ୍ରାୟ ୧୮%। ନଭେମ୍ବର ଶେଷ ସପ୍ତାହରୁ ଆଇଏଲ୍‌ଏସ୍‌ରେ ଜିନମ୍ ସିକ୍ବେନ୍ସିଂ ଚାଲିଥିବାବେଳେ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ଆସିଥିବା ନମୁନାରୁ ଏତିକି ଆକ୍ରାନ୍ତ ଜଣାପଡ଼ିଛନ୍ତି।

ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ପୂର୍ବରୁ ଯେତିକି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ତାହାଠାରୁ ଅଧିକ ହେଉଛନ୍ତି। ଆମେ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ପାଇଥିବା ନମୁନାର ଜିନମ୍ ସିକ୍ବେନ୍ସିଂ କରିଛୁ। ଏହି ସମୟରେ ରାଜ୍ୟରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। କିନ୍ତୁ ଏବେ ଦୈନିକ ୭ରୁ ୮ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏବେ ‌ଯେତେ ନମୁନାର ସିକ୍ବେନ୍ସିଂ କରାଯିବ ସେତେ ଅଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି। ସଂକ୍ରମଣ କମ୍‌ ଥିବାବେଳେ ସ‌ିକ୍ବେନ୍ସିଂର ପ୍ରାୟ ୩୦% ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ଉଦ୍‌ବେଗଜନକ।

ଏବେ ରାଜ୍ୟରେ ଆଇଏଲ୍‌ଏସ୍‌ରେ କେବଳ ଜିନମ୍ ସିକ୍ବେନ୍ସିଂ ହେଉଥିବାବେଳେ ଅଧିକରୁ ଅଧିକ ସିକ୍ବେନ୍ସିଂ କରିବାକୁ ରାଜ୍ୟ ସରକାର କି କେନ୍ଦ୍ର ସରକାରଙ୍କର ଭିତ୍ତିଭୂମି ନାହିଁ। ଏହାବାଦ୍ ଅଧିକ ଆର୍‌ଟିପିସିଆର୍ ଟେଷ୍ଟ କଲେ ସିକ୍ବେନ୍ସିଂ ପାଇଁ ଅଧିକ ନମୁନା ସଂଗ୍ରହ କରାଯାଇପାରନ୍ତା। କିନ୍ତୁ ମାତ୍ର ୩୫% ଆର୍‌ଟିପିସିଆର୍ ଟେଷ୍ଟ ହେଉଥିବାବେଳେ ଗୋଟିଏ କେନ୍ଦ୍ରରେ ସି‌େକ୍ବନ୍ସିଂ ହେବା ଓମିକ୍ରନ୍‌ ନେଇ ସ୍ପ‌ଷ୍ଟ ଚିତ୍ର ଦେଇପାରୁନି। ଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମାଡ଼ି ଚାଲିଥିଲେ ହେଁ କେହି ଏହାକୁ ନିର୍ଦ୍ଦିଷ୍ଟ ଭାବେ ଠଉରାଇ ପାରୁନାହାନ୍ତି।

ଏପଟେ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଦିନ ରାଜ୍ୟରୁ ୮୭୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ୭୯୨ଜଣ ୧୮ବର୍ଷରୁ କମ୍‌ ବୟସର। ବୁଧବାର ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୨୫୨, କଟକରୁ ୭୬୬, ସମ୍ବଲପୁରରୁ ୫୯୬, ଷ୍ଟେଟ୍‌ପୁଲ୍‌ରୁ ୫୭୫, ପୁରୀରୁ ୨୧୬, ନବରଙ୍ଗପୁରରୁ ୧୧୨, ମୟୂରଭଞ୍ଜରୁ ୩୩୮, କୋରାପୁଟରୁ ୧୬୧, ଝାରସୁଗୁଡ଼ାରୁ ୨୦୩, ଯାଜପୁରରୁ ୧୯୧, ଜଗତସିଂହପୁରରୁ ୧୧୪, ଗଞ୍ଜାମରୁ ୧୦୬, ବଲାଙ୍ଗୀରରୁ ୨୧୬, ବରଗଡ଼ରୁ ୧୩୬, ବାଲେଶ୍ବରରୁ ୨୩୧, ଅନୁଗୁଳରୁ ୧୦୭, ସୋନପୁରରୁ ୮୭, ରାୟଗଡ଼ାରୁ ୬୫, ନୟାଗଡ଼ରୁ ୭୫, ମାଲକାନଗିରିରୁ ୧୨, କେନ୍ଦୁଝରରୁ ୯୫, କେନ୍ଦ୍ରାପଡ଼ାରୁ ୪୬, କନ୍ଧମାଳରୁ ୨୦, କଳାହାଣ୍ଡିରୁ ୮୬, ଗଜପତିରୁ ୭୨, ଢେଙ୍କାନାଳରୁ ୭୮, ଦେବଗଡ଼ରୁ ୨୫, ବୌଦ୍ଧରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

New Indian Express

ଆଜିର ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ପରେ କଟକ ଓ ସମ୍ବଲପୁର ଜିଲ୍ଲା ରେଡ୍‌ ଜୋନ୍‌ରେ ସାମିଲ୍‌ ହୋଇଛି। ୟେଲୋ ଜୋନ୍‌ରେ କେବଳ ବାଲେଶ୍ବର ଜିଲ୍ଲା ଅଛି। ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ଯାଜପୁର ଏବେ ଗ୍ରିନ୍ ଜୋନ୍‌ରେ ଥିଲେ ବି ଦିନେ ଦୁଇଦିନ ଭିତରେ ଏହା ୟେଲୋ ଜୋନ୍‌କୁ ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ସୁନ୍ଦରଗଡ଼ରେ ଟିପିଆର୍‌ ୨୮.୧%, ଖୋର୍ଦ୍ଧାରେ ୨୦.୨%, ସମ୍ବଲପୁରରେ ୧୯.୪%, ଝାରସୁଗୁଡ଼ାରେ ୧୦.୮%, କଟକରେ ୧୩.୧%, ମୟୂରଭଞ୍ଜରେ ୧୧.୩%, ବଲାଙ୍ଗୀରରେ ୯.୮%, ନବରଙ୍ଗପୁରରେ ୭.୭%, ରହିଛି।

ସମ୍ବନ୍ଧିତ ଖବର