ଲକ୍‌ଡାଉନ୍‌ରେ ୪ ଜିଲ୍ଲା, ରାଉରକେଲା : ୧୪ ଦିନ ସାଲିସ୍‌ ନାହିଁ

ଅଣ୍ଟା ସଳଖିବା ବେଳକୁ ପୁଣି ଲକ୍‌ଡାଉନ୍ ପ୍ରହାର
ଜରୁରୀ ବୈଠକରେ ତନାଘନା କଲେ ମୁଖ୍ୟସଚିବ
ଦ୍ବୈତନଗରୀ ପ୍ରବେଶ କଟକଣା ନିଶ୍ଚିତ କରିବେ କମିସନର
ପରିବା, ସଉଦା ପାଇଁ ଅଧ କିଲୋମିଟର ବାଟ ଅନୁମତି

ଭୁବନେଶ୍ବର : ଅର୍ଥନୀତି ଅଣ୍ଟା ସଳଖିବା ଆରମ୍ଭ କରିଥିଲା। ଜୀବନ ଜୀବିକା ଧୀରେ ଧୀରେ ସ୍ବାଭାବିକ ହେବା ଲାଗି ରାସ୍ତା ଖୋଲୁଥିଲା। ଲୋକେ ପୁଣି ଥରେ କର୍ମସଂସ୍ଥାନକୁ ନେଇ ସ୍ବପ୍ନ ଦେଖୁଥିଲେ। ଆଉ ଲୋକଙ୍କ ହାତକୁ ଦି’ ପଇସା ଆସିବା ଆରମ୍ଭ କରିବା ବେଳକୁ ପୁଣି ଥରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ରାତିରୁ ଖୋର୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ପାଇଁ ସରକାରଙ୍କ ୧୪ ଦିନିଆ ଲକ୍‌ଡାଇନ୍ ନିଷ୍ପତ୍ତି ସଙ୍କଟ ବଢ଼ାଇ ଦେଇଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ କରୋନା ଏଭଳି ନିର୍ଘାତ ପ୍ରହାର ଦେଇଛି ଯେ ଯନ୍ତ୍ରଣା ଅସହ୍ୟ ହେଲାଣି। ଏଣେ କରୋନା ଭୂତାଣୁ ଗୋଟିଏ ପରେ ଗୋଟିଏ ଘରକୁ ମାଡ଼ି ଚାଲିଛି, ସେପଟେ ପେଟର ଭୋକ ପାଇଁ ଭୟ ବି ବଢିଛି।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଅତ୍ୟନ୍ତ ସନ୍ତର୍ପଣର ସହିତ ଲକ୍‌ଡାଉନ୍ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ କଟକଣାକୁ କଠୋରତାର ସହିତ ପାଳନ କରି ସଂକ୍ରମଣର ଧାରା ଭାଙ୍ଗିବା ଲାଗି ସରକାରୀ ଯୋଜନା ସ୍ପଷ୍ଟ ବାରି ହୋଇପଡୁଛି। ସମାନ୍ତରାଳ ଭାବେ ଜୀବନ ଯନ୍ତ୍ରଣା ଯେଭଳି ଅତିଷ୍ଠ ପରିସ୍ଥିତି ସୃଷ୍ଟି ନ କରେ, ସେଥିଲାଗି ଗୁରୁତ୍ବ ମଧ୍ୟ ଦିଆଯାଇଛି।

ଆଜି ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରିଛନ୍ତି। ପୁଲିସ ଡିଜି ଅଭୟ, ଏସଆରସି ପ୍ରଦୀପ ଜେନାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ୪ଟି ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ମ୍ୟୁନିସପାଲ କମିସନର, ପୁଲିସ କମିସନରଙ୍କୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି ଯେ କୌଣସି ବି ପରିସ୍ଥିତିରେ କଟକଣା ସହିତ କେହି ସାଲିସ୍ କରିପାରିବେ ନାହିଁ। ଯେହେତୁ ଏଥର ଲକ୍‌ଡାଉନକୁ ସମ୍ପୂର୍ଣ୍ଣ ଭାବେ ଜନସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଏକମାତ୍ର ବିକଳ୍ପ ବୋଲି ବିବେଚନା କରାଯାଉଛି, ତୃଣମୂଳସ୍ତରରେ କିଛି ବି କୋହଳ କରିବା ଲାଗି ସୁଯୋଗ ଦିଆଯାଇପାରିବ ନାହିଁ।

ସେହିପରି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରୋକଠୋକ୍ ମୁଖ୍ୟ ସଚିବ ଜଣାଇ ଦେଇଛନ୍ତି ଯେ ଉଭୟ କଟକ ଓ ଭୁବନେଶ୍ବରରେ ମାଲବାହୀ ଯାନ ବ୍ୟତୀତ କୌଣସି ଯାନ ବା ବ୍ୟକ୍ତିଙ୍କୁ ସହରରେ ପ୍ରବେଶ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାନଯାଏ, ତାହାକୁ ସେ ନିଶ୍ଚିତ କରିବେ। କେବଳ ଯେଉଁମାନେ ଆତଯାତ କରିବା ଜରୁରୀ ବା ପ୍ରବେଶ କରିବା ଅତ୍ୟନ୍ତ ଗୁରୁତ୍ବ ବହନ କରେ, ସେମାନଙ୍କ କଥା ପୁଲିସ ବିଚାରକୁ ନେବ।

ଅନ୍ୟ ବିଭାଗକୁ ସରକାର ଜଣାଇ ଦେଇଛନ୍ତି ଯେ ସେମାନେ ଗୋଟିଏ ୟୁନିଟ୍ ହୋଇ କାମ କରିବେ ଓ ଏକମାତ୍ର ଲକ୍ଷ୍ୟ ହେଲା, ସଂକ୍ରମିତଙ୍କୁ ଚିହ୍ନଟ କରିବା। ସେହିପରି ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଟେଷ୍ଟିଂ କିଟ୍‌ ଠାରୁ ଆରମ୍ଭକରି ଆବଶ୍ୟକ ଔଷଧ ଓ ଉପକରଣ ଯୋଗାଇ ଦିଆଯାଇଛି। ଯଦି ଅଧିକ କିଛି ଆବଶ୍ୟକ ପଡେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନେ ସିଧାସଳଖ ସିଡ଼ିଏମଓଙ୍କ ସହିତ ଯୋଗାଯୋଗ କରିପାରିବେ। ପ୍ରତିଦିନ ଜିଲ୍ଲାପାଳମାନେ ସିଡ଼ିଏମ୍ଓଙ୍କ ସହିତ ଦିନରେ ଅନ୍ତତଃ ଥରେ ବୈଠକ କରିବେ ଓ ସର୍ଭେର ସ୍ଥିତି ଯାଞ୍ଚ କରିବେ।

ସେହିପରି ଗଣମାଧ୍ୟମ ପ୍ରତିନିଧିମାନେ ଅତି ଆବଶ୍ୟକ ନଥିଲେ, ନିଜକୁ ଯଥାସମ୍ଭବ କଟକଣା ଭିତରେ ରଖିବାକୁ ମୁଖ୍ୟସଚିବ ପରାମର୍ଶ ଦେଇଛନ୍ତି।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସାଧାରଣ ଲୋକମାନେ ଲକ୍‌ଡାଉନ୍ ଅଞ୍ଚଳରେ ଅତିବେଶିରେ ଅଧ କିଲୋମିଟର ଦୂର ପର୍ଯ୍ୟନ୍ତ ଯାଇ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିପାରିବେ। ନା ବାଇକ୍‌ ବ୍ୟବହାର କରିପାରିବେ ନା ଅନ୍ୟ କୌଣସି ଯାନବାହନ। ବଜାରରେ ଯଥେଷ୍ଟ ପରିମାଣରେ ସାମଗ୍ରୀ ମହଜୁଦ ଥିବା କାରଣରୁ କେହି ଭୟଭୀତ ହୋଇ ଆଗୁଆ କିଣି ଗଚ୍ଛିତ ରଖିବାର ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକଡାଉନ୍ ରହିବା ପରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହା ଫେଲ୍ ମାରିଛି। ଜୁନ୍ ମାସ ପରେ ଏବେ ଜୁଲାଇ ମାସରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସରକାର ଅନ୍ୟୋନପାୟ ହୋଇ ପୁଣି ଥରେ ସେହି କଠୋର ଲକଡାଉନ୍ ପର୍ଯ୍ୟାୟ ଭିତରେ ପଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ମହାମାରୀ କରୋନାର ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୨ରୁ ମେ’ ୩୧ ଯାଏଁ ପ୍ରାୟ ୭୦ ଦିନ ଧରି ସାରା ରାଜ୍ୟକୁ କଟକଣା ଭିତରେ ଛନ୍ଦିଥିଲେ ସରକାର। ହେଲେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ପୌରପାଳିକାକୁ ଲକଡାଉନ ଘୋଷଣା କରିଛନ୍ତି, ଏଇଥିପାଇଁ ଯେ ଏହି ସବୁ ଅଞ୍ଚଳରୁ ହାରାହାରି ୬୬ ପ୍ରତିଶତ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଏଣୁ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, ସଙ୍ଗରୋଧର ରଖିବା ଓ ଚିକିତ୍ସା ଜରୁରୀ ବୋଲି ବିଚାର କରି କଠୋର ନିଷ୍ପତ୍ତି ନେବା ପୁଣି ଆରମ୍ଭ କରିଛନ୍ତି। ଜୁଲାଇ ୩୧ ତାରିଖ ରାତି ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିବ।

ସମ୍ବନ୍ଧିତ ଖବର