ପୁରୀରେ ମହାପ୍ରଭୁଙ୍କ ପହଣ୍ଡି ବେଳେ ଉଡ଼ିଲା ୪ ଡ୍ରୋନ୍‌, ଜବତ କଲା ପୁଲିସ

ପୁରୀ: ମହାପ୍ରଭୁଙ୍କ ପହଣ୍ଡି ସମୟରେ ଡ୍ରୋନ୍‌ ଉଡାଇବା ନେଇ ବାରଣ ଥିବା ବେଳେ କିଛି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ଯିବା ସମୟରେ କିଛି ବିଶୃଙ୍ଖଳିତ ବ୍ୟକ୍ତି ଡ୍ରୋନ ମାଧ୍ୟମରେ ଭିଡିଓ ଉତ୍ତୋଳନ କରିଛନ୍ତି। ମହାପ୍ରଭୁଙ୍କ ଭିଡିଓ ଉତ୍ତୋଳନ କରିଥିବା ଡ୍ରୋନ୍‌ କ୍ୟାମେରାକୁ ପୁରୀ ପୁଲିସ ଜବତ କରିଛି। ଏନେଇ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିମାନ ଓ ଡ୍ରୋନ୍‌ ଉଡାଇବା ଉପରେ କଟକଣା ଜାରି କରାଯାଇଛି। ଏହି ସ୍ଥାନଗୁଡ଼ିକରେ ଡ୍ରୋନ୍‌ ଉଡାଇବାକୁ ହେଲେ ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଅନୁମତି ଦରକାର। କିନ୍ତୁ ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଚାଲିଥିବା ବେଳେ ପୁରୀ ବଡ଼ଦାଣ୍ଡ ଆକାଶରେ ୪ଟି ଡ୍ରୋନ୍‌ ଉଡ଼ାଇ ଭିଡିଓ ଉତ୍ତୋଳନ କରାଯାଇଥିଲା। ପୁଲିସ ୪ଟି ଡ୍ରୋନ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର