ଭରାଜଳରେ ଭାସିଗଲେ ୪

ଯାଜପୁର / ବରୀ / ଧାମନଗର /ଯଶିପୁର : ରାଜ୍ୟର ଲଗାଣ ବର୍ଷାଜନିତ ପରିସ୍ଥିତି ଜନଜୀବନକୁ ବିପର୍ଯ୍ୟସ୍ତ ତ କରିଛି, ତା’ ସହିତ ବୁଧବାର ୪ ଜଣ ପାଣିରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ବାପପୁଅ। ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଦୁହେଁ ବନ୍ୟାସ୍ରୋତରେ ଭାସି ଯାଇଛନ୍ତି। ଯାଜପୁର ଜିଲ୍ଲାରେ ଏହି ଅଘଟଣ ଘଟିଥିବାବେଳେ ଅନ୍ୟ ୨ଟି ଘଟଣା ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ନିଖୋଜ ବାପପୁଅ ହେଲେ, ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ(୫୫) ଓ ପୁଅ କୈଳାସ ସିଂହ(୩୪)। ଆଜି ବ୍ରାହ୍ମଣୀ ନଦୀବନ୍ଧରେ ବାପା କିଶୋର ଗାଈ ଚରାଉଥିଲେ। ମାଟିଆପଡ଼ାଠାରେ ହୋଇଥିବା ଘାଇର ବନ୍ୟାସ୍ରୋତରେ ବାଛୁରୀଟି ପଡ଼ିଯାଇଥିଲା। ବାଛୁରୀକୁ ଉଦ୍ଧାର କରିବାକୁ ଯାଇ କିଶୋର ସ୍ରୋତରେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ପୁଅ କୈଳାସ ମଧ୍ୟ ନଦୀକୁ ଡେଇଁପଡ଼ିଥିଲେ। ବାଛୁରୀ ସହିତ ବାପା ଓ ପୁଅ ଉଭୟ ଭାସି ଯାଇଥିଲେ। ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀଙ୍କର ଉଦ୍ୟମ ସତ୍ତ୍ବେ ନିଖୋଜ ବାପପୁଅଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କୋଚିଳା ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରଧାନୀ ପଞ୍ଚାୟତ ରାମରାକୁଳ ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ସୁଶାନ୍ତ ସାହୁ (୨୭)। ଆଜି ସକାଳେ ସୁଶାନ୍ତ ନଦୀ‌କୁ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଧାମନଗର ଦମକଳ କେନ୍ଦ୍ର କର୍ମଚାରୀମାନେ ସୁଶାନ୍ତଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ।

ସେହିଭଳି, ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ମାଟିଆଗଡ଼ ପଞ୍ଚାୟତ ବନବସା ଖଡ଼ିଆ କଲୋନିର ରତନି ଦେହୁରୀ (୨୫) ପାଣିରେ ଭାସି ଯାଇଛନ୍ତି। ଆଜି ସକାଳ ନିଜ ୬ ବର୍ଷର ଝିଅ ସହିତ ରତନି ଗାଧୋଇବା ପାଇଁ ଭଣ୍ଡନ ନଦୀକୁ ଯାଇଥିଲେ। ଏହି ସମୟରେ ପାହାଡ଼ ଉପରମୁଣ୍ଡରୁ କ୍ଷୀପ୍ରଗତିରେ ଜଳସ୍ରୋତ ମାଡ଼ି ଆସିଥିଲା ଏବଂ କିଛି ବୁଝିବା ପୂର୍ବରୁ ରତନି ସେହି ପ୍ରଖର ଜଳସ୍ରୋତ‌ରେ ଭାସିଯାଇଥିଲେ।

ସମ୍ବନ୍ଧିତ ଖବର