ବ୍ରହ୍ମଗିରି : ରବିବାର ଅପରାହ୍ନରେ ଚିଲିକା ବକ୍ଷରେ କାଳବୈଶାଖୀ ତାଣ୍ଡବ ରଚିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଚିଲିକାରେ ୪ ଫୁଟ ଉଚ୍ଚର ଜୁଆର ଉଠିଛି। ଫଳରେ, କୃଷ୍ଣପ୍ରସାଦ ଗଡ଼ଜେଟି ପାଖରେ ଦୁଇଟି ଡଙ୍ଗା ପରସ୍ପର ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୬ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଫେରିଛନ୍ତି। ଚିଲିକାକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀ ଡଙ୍ଗାନେଇ କୂଳକୁ ଫେରୁଥିବା ବେଳେ ଝଡ଼ତୋଫାନର ଶିକାର ହୋଇଛନ୍ତି।
ରବିବାର ଅପରାହ୍ନ ୪ଟାରେ ଆକାଶରେ କଳାହାଣ୍ଡିଆ ମେଘ ସହିତ ପବନ ବହିବା ଆରମ୍ଭ ହୋଇଥିଲା। ଘଣ୍ଟାକୁ ୫୦ କିଲୋମିଟରରୁ ଅଧିକ ବେଗରେ ପବନ ସହ ଜହ୍ନିକୁଦା ଘାଟଠାରୁ ସାତପଡ଼ା ଘାଟ ମଧ୍ୟରେ ପ୍ରବଳ ଜୁଆର ଉଠିଥିଲା। ପାଣି ଉପରକୁ ଉଠିଥିଲା। ସେତେବେଳକୁ ଜହ୍ନିକୁଦା ଘାଟରେ ଭସାପୋଲରେ ଶତାଧିକ ଯାତ୍ରୀଙ୍କ ସହିତ ବାଇକ୍ ଓ ଚାରିଚକିଆ ଗାଡ଼ି ଲଦା ହୋଇସାରିଥିଲା। ସେହିଭଳି ସାତପଡ଼ା ଘାଟରେ ମଧ୍ୟ ଭସାପୋଲରେ ଦେଢ଼ଶହ ଯାତ୍ରୀ, ୪ଟି ଚାରିଚକିଆ ଗାଡ଼ି ଓ ୨୫ ବାଇକ୍ ଲଦା ହୋଇ ରହିଥିଲା। ଦୁଇଟି ଯାତ୍ରୀବାହୀ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଓ ଜହ୍ନିକୁଦା ଘାଟରେ ମଧ୍ୟ ୪ଟି ଡଙ୍ଗାରେ ୮୦ରୁ ଅଧିକ ଯାତ୍ରୀଙ୍କ ସହିତ ବାଇକ୍ ଲଦା ହୋଇଥିଲା। ଫଳରେ, ୧୦ରୁ ଅଧିକ ଡଙ୍ଗା ଭାଙ୍ଗି ଯାଇଛି।
ଏହି ଘଟଣା ପରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ କରାଯାଇଥିବା ବେଳେ ଭସାପୋଲକୁ ଦୁଇଟି ଘାଟରେ ବନ୍ଦ କରି ଲଙ୍ଗର ପକାଇ କୂଳରେ ରଖା ଯାଇଥିବା ସ୍ଥାନୀୟ ସିଡିଏ ଅଧିକାରୀ କହିଛନ୍ତି। ଅନ୍ୟପଟେ କାଳବୈଶାଖୀ ପ୍ରଭାବ କମିଥିଲେ ସୁଦ୍ଧା ଅନ୍ଧାର ହୋଇଥିବାରୁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।