ଛତ୍ରପୁର: ରାତାରାତି ଲକ୍ଷପତି ହେବା ପାଇଁ ଆଜିକାଲିର ଲୋକେ ଅନେକ ପ୍ରକାର ବିକଳ୍ପ ଚିନ୍ତା କରୁଛନ୍ତି। ଗଂଜାମ ଜିଲ୍ଲାର ଛତ୍ରପୁର ପୁଲିସ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଲୋକଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୀମାଞ୍ଚଳ ପଣ୍ଡା (୫୮), ସୁଶାନ୍ତ କୁମାର ଦଳାଇ (୩୫), ଦେବାଶିଷ ପଟ୍ଟନାୟକ (୩୦) ଓ ଗୋପାଳ ରାଓ (୨୭)। ଅଭିଯୁକ୍ତମାନଙ୍କ ମଧ୍ୟରୁ ସୀମାଞ୍ଚଳ ଗୋଷାଣୀନୂଆଗାଁ ଅଂଚଳର ହୋଇଥିଲା ବେଳେ ଅନ୍ୟ ୩ ଜଣ ଛତ୍ରପୁର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧ ଲକ୍ଷ ୪୦ ହଜାର ଟଙ୍କା ସହ ୨ଟି କାର, ୫ଟି ମୋବାଇଲ ଜବତ, ୬୦ ବସ୍ତା ଗୁଟ୍‌ଖା ମଧ୍ୟ ଜବତ କରିଛି।

Advertisment

ଗତ ୨୧ ତାରିଖ ଦିନ ଅପରାହ୍‌ଣ ୪ଟାରେ ଆନ୍ଧ୍ର ପ୍ରଦେଶର ଜଣେ ଟ୍ରକ୍‌ (ଏପି୩୭ଟିଇ-୮୬୯୯) ଚାଳକ ଏମ୍‌ ରମେଶ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ‌ ସେ ଯେତେବେଳେ କୋଲକାତାରୁ ଚାଉଳ ଓ ଡିଲକ୍ସ ପାନ ମସଲା ନେଇ ଆନ୍ଧ୍ରପ୍ରଦେଶରୁ ଯାଉଥିଲେ, ଛତ୍ରପୁର ଉଜଲେଶ୍ବର ରେଲୱେ ଓଭରବ୍ରିଜ୍‌ ନିକଟରେ ଉପରୋକ୍ତ ଅଭିଯୁକ୍ତମାନେ ଅଟକାଇଥିଲେ। ଅଭିଯୁକ୍ତମାନେ ନିଜକୁ ଜିଏସ୍‌ଟି ଅଧିକାରୀ ବୋଲି ପରିଚୟପତ୍ର ଦେଖାଇଥିଲେ। ଏଥି ସହିତ ଟ୍ରକ ମାଲିକଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥି ସହିତ ଅଭିଯୁକ୍ତମାନେ ୧,୪୦,୦୦୦ ଟଙ୍କା କୌଶଳକ୍ରମେ ନେଇଯାଇଥିଲେ। ଅଭିଯୁକ୍ତମାନେ ଟ୍ରକରୁ ବଳପୂର୍ବକ ୬୦ ପ୍ୟାକେଟ ଡିଲକ୍ସ ପାନ ମସଲା ଜବତ କରିଥିଲେ। ‌ତେବେ ଏନେଇ ଟ୍ରକ ଚାଳକ ଥାନାରେ ଏତଲା ଦେଇଥିଲେ।