ରାଜଗାଙ୍ଗପୁରରେ ଆଲୋଡ଼ନ : ପରିବାରର ୪ ସଦସ୍ୟଙ୍କ ରହସ୍ୟଜନକ ମୃତ୍ୟୁ, ବନ୍ଦ ଘରୁ ପୁଅ ଝିଅଙ୍କ ସହ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁର କାରଣ ଅସ୍ପଷ୍ଟ; ହତ୍ୟା ନା ଆତ୍ମହତ୍ୟା! ୫ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ

ରାଜଗାଙ୍ଗପୁର : ଏହି ଘରେ ପ୍ରାୟ ୪ ମାସତଳେ ଏକ ଦମ୍ପତି ତାଙ୍କର କୁନି କୁନି ଦୁଇ ପୁଅ ଝିଅଙ୍କୁ ନେଇ ଆସି ରହୁଥିବା କଥା ପଡ଼ୋଶୀମାନେ ଜାଣିଥିଲେ। ହେଲେ ଘରର କବାଟ ଚାରିଦିନ ହେଲା ବନ୍ଦ ରହିଥିଲା। ପରିବାରର‌ କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ଚାରିଦିନ ହେଲା ଦେଖି ନଥିଲେ। ବାହାରକୁ କେବଳ ଦିଶୁଥିଲା ବନ୍ଦ ଗ୍ରିଲ୍ ସେପଟେ ବାରଣ୍ଡାରେ ଥୁଆ ହୋଇଥିବା ସେମାନଙ୍କର ସ୍କୁଟି, କବାଟ ଭିତରୁ ବନ୍ଦ ଥିଲା। ପଡ଼ୋଶୀମାନେ ଦ୍ବନ୍ଦ୍ବରେ ଥିଲେ। ହେଲେ ଚାରିଦିନ ପରେ ଯେତେବେଳେ ବନ୍ଦ ଘର ଭିତରୁ ଦୁର୍ଗନ୍ଧ ଆସିଲା, ଲୋକଙ୍କ ମନରେ ସନ୍ଦେହ ବଢ଼ିଲା। ପୁଲିସକୁ ଖବର ଦିଆଗଲା। ପୁଲିସ ଆସି କବାଟ ଭାଙ୍ଗିବାରୁ ଚମକାଇ ଦେବାଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଲା। ପଲଙ୍କ ଉପରେ ନିଜର ଦୁଇପିଲାଙ୍କ ସହିତ ଚିରନିଦ୍ରାରେ ଶୋଇଥିଲେ ଦମ୍ପତି। ରାଜଗାଙ୍ଗପୁର ସହରର ଆଇ.ଟି ‌କଲୋନିରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏକ ବନ୍ଦଘର ଭିତରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକମାନେ ହେଉଛନ୍ତି ରଂଜିତ ପ୍ରସାଦ (୨୮), ତାଙ୍କ ପତ୍ନୀ ଅଲପନା ସିଂହ ତଥା ସେମାନଙ୍କର ୩ବର୍ଷର ଝିଅ କନକ ଓ ବର୍ଷକର ପୁଅ ଅଜିତ।

ଏକ ପଲଙ୍କ ଉପରେ ୪ଜଣ ଯାକ ସଦସ୍ୟ ଘୋଡ଼ାଇ ହୋଇ ଶୋଇଥିବାର ଦେଖା ଯାଇଥିଲା। କିନ୍ତୁ ସେମାନଙ୍କ ଦେହରେ ପ୍ରାଣ ନଥିଲା। ଖଟ ନିକଟରେ ଏକ କ୍ଷୀର ତାଟିଆ ଥିବାରୁ ପ୍ରାଥମିକ ଅବସ୍ଥାରେ ସେମାନେ କ୍ଷୀରରେ ବିଷ ମିଶାଇ ପିଇବା ପରେ ପ୍ରାଣ ହରାଇଥିବା ଅନୁମାନ କରା ଯାଉଥିଲା। ମାତ୍ର ପରେ ଘର ଭିତରୁ ଏକ ବାଲ୍‌ଟିରେ କୋଇଲା ଦେଖିବା ପରେ ସୁନ୍ଦରଗଡ଼ରୁ ଆସିଥିବା ୪ଜଣିଆ ଫରେନ୍‌ସିକ୍ ଟିମ୍‌ର ସନ୍ଦେହ ଅନ୍ୟ ଦିଗକୁ ଯାଇଥିଲା। ପ୍ରାଥମିକ ତଦନ୍ତରୁ ଶ୍ବାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ମାତ୍ର ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ବର୍ତ୍ତମାନ ମୃତ୍ୟୁର କାରଣ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ଆଗକୁ ଆସିବ ଏବଂ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ମୃତ ରଂଜିତ ପ୍ରସାଦ ଏବଂ ତାଙ୍କ ପତ୍ନୀ ଅଲପନାଙ୍କର ପ୍ରେମ ବିବାହ ପ୍ରାୟ ୫ବର୍ଷ ତଳେ ହୋଇଥିଲା। ଉଭୟଙ୍କର ଘର ନିକଟସ୍ଥ କାଂଶବାହାଲ ଅଞ୍ଚଳରେ। ଜାତିର ଫରକ ଥିବାରୁ ‌ସେ ବାହାଘରରେ ଉଭୟଙ୍କର ପରିବାର କୁଆଡ଼େ ଖୁସି ନଥିଲେ। ତେଣୁ ନିଜ ନିଜର ପରିବାର ସହିତ ସେମାନଙ୍କର ସେତେଟା ସଂପର୍କ ନଥିଲା। କାଂଶବାହାଲ ସ୍ଥିତ ଗୁଆଲାପଡ଼ା ନିବାସୀ ରାଜଦେବ ପ୍ରସାଦଙ୍କର ଏକ ମାତ୍ର ପୁଅ ଥିଲେ ରଂଜିତ। ମୃତ ଅଲପନାଙ୍କ ବାପା ଅରବିନ୍ଦ ସିଂହ ମଧ୍ୟ ସେହି ପାଖରେ ରହନ୍ତି। ଦୁଇ ପରିବାର ପାଖାପାଖି ରହୁଥିବାବେଳେ ଉଭୟଙ୍କ ଭିତରେ ପରିଚୟ ଓ ପ୍ରେମ ହୋଇଥିଲା। ବାହାଘର ପରେ ସେମାନେ ଘର ଛାଡ଼ି ବାହାରେ ରହୁଥିଲେ। ମୃତ ରଂଜିତ ଡାଲମିଆଁ ଭାରତ ରିଫ୍ରାକ୍‌ଟୋରିର ମେକାନିକାଲ୍ ବିଭାଗରେ ଚାକିରି କରୁଥିଲେ। ପତି ପତ୍ନୀଙ୍କ ଭିତରେ ମଝିରେ ମଝିରେ ଝଗଡ଼ା ହେଉଥିବାର ପଡ଼ୋଶୀମାନେ କହନ୍ତି। ଗତ ୭ ତାରିଖ ଦିନ ରଂଜିତ କାମରୁ ଅପରାହ୍‌ଣ ପ୍ରାୟ ୨ଟା ସମୟରେ ଘରକୁ ଫେରିଥିଲେ। ସେଦିନ ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ କୁଆଡ଼େ ଝଗଡ଼ା ହୋଇଥିଲା। ତା’ପରଠାରୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ଦେଖି ନଥିଲେ।

ସମ୍ବନ୍ଧିତ ଖବର