ବ୍ରହ୍ମଗିରି: ଅଶାନ୍ତ ସମୁଦ୍ର, ମୁହାଣ ମୁହଁରେ ୪ ଫୁଟ୍‌ର ଜୁଆର

ବ୍ରହ୍ମଗିରି : ବାତ୍ୟା ପ୍ରଭାବରେ ଚିଲିକା–ସମୁଦ୍ର ମଝିରେ ଥିବା ବାଲିବନ୍ଧ ସବୁ ଧୋଇଯାଇ ପ୍ରାକୃତିକ ମୁହାଣ ମେଲିସାରିଛି। ଇତିମଧ୍ୟରେ ୬ଟି ପ୍ରାକୃତିକ ମୁହାଣ ଖୋଲି ସାରିଲାଣି। ଫଳରେ, ଚିଲିକା–ସମୁଦ୍ର ଏକାକାର ହୋଇଗଲାଣି। ସାଧାରଣ ଲଘୁଚାପ ପ୍ରଭାବରେ ଏହିସବୁ ପ୍ରାକୃତିକ ମୁହାଣରେ ବଡ଼ବଡ଼ ଢେଉ ଉଠିବାରେ ଲାଗିଛି। ଆଜି ଅପରାହ୍ନରେ ୪ ଫୁଟ୍ ଉଚ୍ଚର ବଡ଼ବଡ଼ ଜୁଆର ଉଠିଥିବା ଦେଖିବାକୁ ମିଳିଛି। ଜୁଆର ଉଠିବା ଯୋଗୁ ଚିଲିକା ଉପକୂଳ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଗତ ୭ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁ ଭିତରକୁ ପ୍ରବଳ ଜୁଆର ମାଡ଼ିଆସିଥିଲା।। ଗାଁ ଦାଣ୍ତରେ ୩ ଫୁଟ୍‌ ଜୁଆର ପାଣି ଲହଡ଼ି ମାରିଥିଲା। ଫଳରେ, ଘର ଭିତରେ ସମୁଦ୍ର ଜୁଆର ପଶିବା ସହ ସାମୁଦ୍ରିକ ଥାନା ଚାରିପଟେ ପାଣି ଘେରି ଯାଇଯାଇଥିଲା।। ଗାଁ ଦାଣ୍ତରେ ଡଙ୍ଗା ଚାଲିଥିଲା। ଚିଲିକା କୂଳରେ ବନ୍ଧା ଯାଇଥିବା କେତେକ ଡଙ୍ଗା ମଧ୍ୟ ବୁଡ଼ିଯାଇଥିଲା। ଏପରିକି ୫୦ରୁ ଅଧିକ ଝାଟିମାଟି ଘର ଜୁଆର ପାଣିରେ ଭାଙ୍ଗି ଯାଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆଜି ପୁଣି ୩ ଫୁଟର ସାମୁଦ୍ରିକ ଜୁଆର ଉଠିଛି। ଯାହାକୁ ଦେଖି ଏହି ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର